ରାୟଗଡା, (ସତ୍ୟପାଠବ୍ୟୁରୋ): ଆଜି ଜନ୍ମଦିନରେ ଜଳିଲା ସହିଦ ଭି ତେଜାଙ୍କ  ଜୁଇ I ପଞ୍ଚ ଭୂତରେ ଲୀନ ହେଲେ ସହିଦ ଯବାନ। ନାଗାଲାଣ୍ଡରେ ସହିଦ ହୋଇଥିବା ଭି ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା I ଗାର୍ଡ ଅଫ ଅନର ପ୍ରଦାନ ସମୟରେ ରାୟଗଡା  ଜିଲ୍ଲାପାଳ  ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ରାୟଗଡା ବିଧାୟକ ଅପଲା ସ୍ୱାମୀ କାଡ୍ରାକା ଓ ହଜାର ହଜାର ଲୋକ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ I ସହିଦ ତେଜାଙ୍କୁ ତାଙ୍କ ବାସଭବନରୁ   ଏକ ବିରାଟ  ଶୋଭାଯାତ୍ରାରେ ସିରିଗୁଡା ସ୍ଥିତ ସ୍ମଶାନଘାଟକୁ ନିଆଯାଇଥିଲା I ସେଠାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ସହିଦ ତେଜା ଦେଶ ପାଇଁ ଦେଖିଥିବା ସ୍ବପ୍ନ ପୂର୍ଣ୍ଣ ହୋଇଥିଲା କିନ୍ତୁ ନିଜ ପାଇଁ ଦେଖିଥିବା ସ୍ବପ୍ନ ଅଧୁରା ରହିଗଲା I ସୂଚନାଯୋଗ୍ୟ ଯେ, ଭି ତେଜା ନିଜ ବାସଗୃହ  ନିକଟରେ  ସିଆରପିଏଫ ୪ର୍ଥ ବାଟାଲିଅନର ଯବାନ ମାନଙ୍କୁ ଦେଖି ଚିନ୍ତା କରିଥିଲେ ଦେଶ ସେବା କରିବା ପାଇଁ I ଏନେଇ ନିଜକୁ ଦେଶ ସେବା ପାଇଁ ପ୍ରସ୍ତୁତ କରି ଭାରତୀୟ ସେନାରେ ଭର୍ତ୍ତି ହେବାପାଇଁ ପରୀକ୍ଷା ଦେଇଥିଲେ ଏବଂ ସଫଳତା ହାସଲ କରିଥିଲେ I ଭି ତେଜା ସେନାର ଆସାମ ରାଇଫଲସରେ ଯୋଗଦାନ କରିଥିଲେ I ନିଜର ଛୋଟ ଗ୍ରୋସେରୀ ଦୋକାନରୁ ଦେଶ ସେବା ପାଇଁ  ସ୍ବପ୍ନ  ଦେଖିଥିଲେ। ଡିସେମ୍ବର ୧୦ ତାରିଖରେ ବାହାଘର ପାଇଁ ଠିକ ହୋଇଥିଲା I ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପ୍ରାୟତଃ ସରିଥିଲା I ବିବାହ  ପୂର୍ବରୁ ନୂତନ ଗୃହ ନିର୍ମାଣ ମଧ୍ୟ କରିଥିଲେ I କିନ୍ତୁ ନିୟତିର ନିର୍ଦ୍ଦେଶ ଥିଲା ଅଲଗା I ସହିଦ ତେଜା ୨୦୨୨ ମସିହାରେ ଚାକିରିରେ ଯୋଗ ଦେଲାପରେ ଅଙ୍ଗଦାନ କରିବେ ବୋଲି  ଘୋଷଣାପତ୍ର ସ୍ଵାକ୍ଷରୀତ କରିଥିଲେ I ପୁଅର ମୃତ୍ୟୁଦେହ ଦେଖି ବାପା ମା  ପରିବାର ଓ ସ୍ଥାନୀୟ ଜନସାଧାରଣଙ୍କ ଆଖିରୁ ଲୁହ ଶୁଖୁନି I