ସମ୍ବଲପୁର (ସତ୍ୟପାଠବ୍ୟୁରୋ): ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଅର୍ଥାତ୍ ଜିଏମୟୁରେ ଚଳିତ ବର୍ଷ ମଧ୍ୟ ହେବନାହିଁ ପ୍ରତ୍ୟକ୍ଷ ଛାତ୍ର ନିର୍ବାଚନ। ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ସଭାପତି ଓ ଅନ୍ୟାନ୍ୟ ଛାତ୍ର ପ୍ରତିନିଧି ପଦବୀ ପାଇଁ ହେବ ସିଲେକ୍ସନ ପ୍ରକ୍ରିୟା। ଅର୍ଥାତ୍, ସମସ୍ତ ଛାତ୍ରଛାତ୍ରୀ ସିଧାସଳଖ ଭୋଟ୍ ଦେଇ ନିଜ ପ୍ରତିନିଧି ବାଛିପାରିବେ ନାହିଁ। ବିଶ୍ୱବିଦ୍ୟାଳୟର କିଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀ ପ୍ରତିନିଧି ଚୟନ କରିବେ। ତେବେ ଏହି ସିଲେକ୍ସନ ପ୍ରକ୍ରିୟାରେ କିଏ ଭାଗ ନେଇପାରିବେ, ସେନେଇ ମଧ୍ୟ ରହିଛି ନିର୍ଦ୍ଦିଷ୍ଟ ନିୟମ। ଯେଉଁ ଛାତ୍ରଛାତ୍ରୀଙ୍କର ୭୫ ପ୍ରତିଶତ ଉପସ୍ଥାନ ରହିଥିବ, ସେମାନେ ଚୟନ ପ୍ରକ୍ରିୟାରେ ଯୋଗ୍ୟ ହେବେ। ସେହିପରି ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ମାର୍କ ଆଧାରରେ ଭୋଟ୍ ଦେବାର ଯୋଗ୍ୟତା ନିର୍ଦ୍ଧାରଣ କରାଯିବ। ଜିଏମୟୁରେ ଶେଷଥର ପାଇଁ ୧୯୯୮ ମସିହାରେ ପ୍ରତ୍ୟକ୍ଷ ଛାତ୍ର ନିର୍ବାଚନ ହୋଇଥିଲା । ଏହାପରଠାରୁ ଛାତ୍ର ସଂସଦର ସଭାପତି ଏବଂ ଅନ୍ୟାନ୍ୟ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ପରିବର୍ତ୍ତେ ସିଲେକ୍ସନ ପ୍ରକ୍ରିୟା ଅନୁସରଣ କରାଯାଉଛି । ଚଳିତ ବର୍ଷ ମଧ୍ୟ ସେହି ପୁରୁଣା ବ୍ୟବସ୍ଥା ଜାରି ରହିବ । ତେଣୁ ଜିଏମୟୁରେ ଛାତ୍ର ନିର୍ବାଚନକୁ ନେଇ ଆଶା କରାଯାଉଥିବା ପ୍ରତ୍ୟକ୍ଷ ଭୋଟ୍ ପ୍ରକ୍ରିୟା ଏଥର ମଧ୍ୟ ଦେଖିବାକୁ ମିଳିବ ନାହିଁ ।