କୋରାପୁଟ, (ସତ୍ୟପାଠବ୍ୟୁରୋ): ଗୁମା ଘାଟିରେ ଏକ ମାଲ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଯାତାୟତ ଠପ୍ ହୋଇଯାଇଛି । କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକିଛି ଶତାଧିକ ଯାନବାହନ । ଫଳରେ ଯାତ୍ରୀ ଓ ଚାଳକଙ୍କୁ ନାହିଁନଥିବା ହଇରାଣ ହେବାକୁ ପଡ଼ୁଛି । ରାୟଗଡ଼ାରୁ କୋରାପୁଟ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥର ଗୁମା ଘାଟି ୩ ନମ୍ବର ବୁଲାଣିରେ ଦୁଇଟି ଟ୍ରକ୍ ଓଲଟି ପଡ଼ିଛି, ସେପରି ଫୁଲଜଣାରେ ମଧ୍ୟ ଆଉ ଗୋଟିଏ ଟ୍ରକ୍ ଓଲଟି ପଡ଼ିଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ରାତିତମାମ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି । ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଗୁଡ଼ିକ ଦୀର୍ଘ ସମୟ ଧରି ଫସି ରହିଛନ୍ତି । ଦୀର୍ଘ ସମୟ ଧରି ଟ୍ରକ୍ ହଟାଇବା ଏବଂ ଯାତାୟତ ସ୍ୱାଭାବିକ କରିବା ନେଇ ପ୍ରଶାସନ ପକ୍ଷରୁ କୌଣସି ବଡ଼ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ରାତ୍ରୀ କାଳୀନ ବସଗୁଡ଼ିକ ଅଟକି ରହିଥିବାବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
