ଭୁବନେଶ୍ୱର (ସତ୍ୟପାଠବ୍ୟୁରୋ): ଭାରତୀୟ ସିନେମାର ଅନ୍ୟତମ ପ୍ରତିଭାବାନ ଓ ଦିଗ୍‌ଗଜ ଅଭିନେତା ଭାବେ ପରିଚିତ ନାନା ପାଟେକରଙ୍କ ପରଲୋକ ଘଟିଛି। ୭୫ ବର୍ଷ ବୟସରେ ଗୋଆରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ପ୍ରାୟ ୪୫ ମିନିଟ୍‌ ଧରି ସିପିଆର ଦିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା।

 

୧୯୫୧ ମସିହା ଜାନୁଆରୀ ୧ରେ ମହାରାଷ୍ଟ୍ରର ମୁରୁଡ-ଜଞ୍ଜିରାରେ ଜନ୍ମିତ ନାନା ପାଟେକରଙ୍କ ପ୍ରକୃତ ନାମ ବିଶ୍ୱନାଥ ପାଟେକର (Nana Patekar)। ସେ ମୁମ୍ବାଇର ସାର୍ ଜେ.ଜେ. ସ୍କୁଲ ଅଫ ଆର୍ଟରେ ଶିକ୍ଷା ଗ୍ରହଣ କରିଥିଲେ।

 

୧୯୭୮ରେ ‘ଗମନ’ ଚଳଚ୍ଚିତ୍ର ମାଧ୍ୟମରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ପରବର୍ତ୍ତୀ ସମୟରେ ନିଜର ନିଆରା ଅଭିନୟ ଶୈଳୀ ଓ ଦମଦାର ସଂଳାପ ପାଇଁ ସେ ହିନ୍ଦୀ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ଦୀର୍ଘ ୫ ଦଶନ୍ଧିର କ୍ୟାରିୟରରେ ସେ ୭୦ରୁ ଉର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଜୀବନ୍ତ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

 

‘ପରିନ୍ଦା’, ‘କ୍ରାନ୍ତିବୀର’, ‘ଅଗ୍ନି ସାକ୍ଷୀ’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ବେଶ୍‌ ପ୍ରଶଂସିତ ହୋଇଥିଲା। ଅଭିନୟ ପାଇଁ ସେ ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ‘ପରିନ୍ଦା’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା, ‘କ୍ରାନ୍ତିବୀର’ ପାଇଁ ଶ୍ରେଷ୍ଠ ଅଭିନେତା ଏବଂ ‘ଅଗ୍ନି ସାକ୍ଷୀ’ ପାଇଁ ପୁଣି ଶ୍ରେଷ୍ଠ ସହାୟକ ଅଭିନେତା ଭାବେ ସେ ଜାତୀୟ ପୁରସ୍କାର ହାସଲ କରିଥିଲେ।

 

୨୦୦୦ ଦଶକରେ ମଧ୍ୟ ନାନା ପାଟେକରଙ୍କ ଅଭିନୟର ଯାଦୁ ଜାରି ରହିଥିଲା। ‘ଶକ୍ତି: ଦ ପାୱାର’ (୨୦୦୨), ‘ଅବ୍ ତକ୍ ଛପ୍ପନ୍’ (୨୦୦୪), ‘ଅପହରଣ’ (୨୦୦୫) ଏବଂ ‘ଟ୍ୟାକ୍ସି ନମ୍ବର ୯୨୧୧’ (୨୦୦୬) ଭଳି ଫିଲ୍ମ ଦର୍ଶକଙ୍କ ନିକଟରେ ବେଶ ଆଦୃତ ହୋଇପାରିଥିଲା।

 

ଗମ୍ଭୀର ଓ ଜଟିଳ ଚରିତ୍ର ସହିତ ହାସ୍ୟରସାତ୍ମକ ଭୂମିକାରେ ମଧ୍ୟ ସେ ନିଜର ଦକ୍ଷତା ପ୍ରମାଣ କରିଥିଲେ। ୨୦୦୭ର ‘ୱେଲକମ୍’ ଚଳଚ୍ଚିତ୍ରରେ ‘ଉଦୟ ସେଠୀ’ ଭୂମିକାରେ ତାଙ୍କ ଅଭିନୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ୨୦୧୫ରେ ଏହାର ସିକ୍ୱେଲ୍‌ ‘ୱେଲକମ୍ ବ୍ୟାକ୍’ରେ ମଧ୍ୟ ସେ ଏହି ଚରିତ୍ରରେ ସେ ନଜର ଆସିଥିଲେ।

 

୨୦୧୦ର ରାଜନୈତିକ ଥ୍ରିଲର୍‌ ‘ରାଜନୀତି’ରେ ମଧ୍ୟ ନାନା ପାଟେକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଏହି ଅଭିନୟ ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ସହାୟକ ଅଭିନେତା ବର୍ଗରେ ପଞ୍ଚମ ଥର ପାଇଁ ମନୋନୀତ ହୋଇଥିଲେ।

 

ମରାଠୀ ସିନେମାରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ। ‘ନଟସମ୍ରାଟ’ରେ ଜଣେ ଅବସରପ୍ରାପ୍ତ ରଙ୍ଗମଞ୍ଚ କଳାକାରଙ୍କ ଭୂମିକାରେ ତାଙ୍କ ଅଭିନୟ ବେଶ୍‌ ପ୍ରଶଂସା ସାଉଁଟିଥିଲା। ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ।

 

ନାନା ପାଟେକର ଶେଷ ଥର ପାଇଁ ବିଶାଲ ଭରଦ୍ୱାଜଙ୍କ ରୋମାଣ୍ଟିକ ଆକ୍ସନ୍ ଥ୍ରୀଲର ଫିଲ୍ମ “ଓ’ ରୋମାଣ୍ଟିକ”ରେ ନଜର ଆସିଥିଲେ। ଯେଉଁଥିରେ ଶାହିଦ କପୁର ଏବଂ ତୃପ୍ତି ଡିମିରି ଅଭିନୟ କରିଥିଲେ। ଫେବୃଆରୀ ୨୦୨୬ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ପାଟେକର ମୁମ୍ବାଇ ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ଇସମାଇଲ ଖାନଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଅନିଲ କପୁରଙ୍କ “ସୁବେଦାର”ରେ ମଧ୍ୟ ଅଭିନୟ କରିଥିଲେ, ଯାହା ମାର୍ଚ୍ଚ ୨୦୨୬ରେ ପ୍ରାଇମ୍ ଭିଡିଓରେ ପ୍ରିମିୟର ହୋଇଥିଲା। ଏହା ପୂର୍ବରୁ, ସେ ହାଉସଫୁଲ ୫ (୨୦୨୫) ଏବଂ ବନବାସ (୨୦୨୪)ରେ ନଜର ଆସିଥିଲେ।

 

ନାନା କେବଳ ଅଭିନେତା ନୁହେଁ, ସେ ଲେଖକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧ୍ୟ ଥିଲେ। ‘ପ୍ରହାର: ଦ ଫାଇନାଲ୍ ଆଟାକ୍’ ମାଧ୍ୟମରେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିଲେ। ଅଭିନୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୧୩ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।

 

ସେ ସମାଜସେବା ସହ ମଧ୍ୟ ଜଡ଼ିତ ଥିଲେ। ୨୦୧୫ରେ ମରାଠୀ ଅଭିନେତା ମକରନ୍ଦ ଅନାସପୁରେଙ୍କ ସହ ମିଶି ‘ନାମ ଫାଉଣ୍ଡେସନ’ ଗଠନ କରିଥିଲେ। ମହାରାଷ୍ଟ୍ରର ମରୁଡ଼ି ପ୍ରଭାବିତ କୃଷକଙ୍କୁ ସହାୟତା କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅଭିନେତା ଭାବେ ପରିଚିତ ନାନା ପାଟେକରଙ୍କର ସେନା ପ୍ରତି ମଧ୍ୟ ଗଭୀର ଆଗ୍ରହ ଥିଲା। ସେ ଭାରତୀୟ ସେନାର ଟେରିଟୋରିଆଲ ଆର୍ମିରେ ଯୋଗ ଦେଇଥିଲେ। ୧୯୯୯ କାର୍ଗିଲ୍ ଯୁଦ୍ଧ ସମୟରେ ସେ ସେନା ସହ ରହି ସେବା କରିଥିଲେ। ପରେ ତାଙ୍କୁ ସମ୍ମାନସୂଚକ ଭାବେ ‘ଲେଫ୍ଟନାଣ୍ଟ କର୍ଣ୍ଣେଲ୍’ ପଦବୀ ଦିଆଯାଇଥିଲା।

 

ନାନା ପାଟେକରଙ୍କ ଦେହାନ୍ତ ସହ ଭାରତୀୟ ସିନେମା ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ଅଭିନେତାଙ୍କୁ ହରାଇଛି। ତାଙ୍କର ଦମଦାର ସଂଳାପ, ନିଆରା ଅଭିନୟ ଶୈଳୀ ଓ ସ୍ମରଣୀୟ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନରେ ଦୀର୍ଘଦିନ ଧରି ରହିବ।