ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ସିଜେପି ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ କଡ଼ା ପଦକ୍ଷେପ ନିଆଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାର୍ଟି ଅକ୍ଟୋବର ୧୦ ତାରିଖରେ ଆନ୍ଦୋଳନ ଡାକରା ଦେଇଛି। ଶନିବାର ହେବାକୁ ଥିବା ସିଜେପି ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ (ସିଏପିଏଫ୍‌)ର ଅତିରିକ୍ତି ୧୧,୦୦୦ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏହି ଅତିରିକ୍ତ ବାହିନୀ ନିୟୋଜିତ ହେବା ସହିତ ଦିଲ୍ଲୀରେ କେନ୍ଦ୍ରୀୟ ବାହିନୀର ମୋଟ ସୁରକ୍ଷାକର୍ମୀଙ୍କ ସଂଖ୍ୟା ପ୍ରାୟ ୨୬୦୦୦ କୁ ବୃଦ୍ଧି ପାଇଛି, ଯାହାକି ୨୦୨୦ ମସିହାର ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପରେ ସହରରେ ସର୍ବାଧିକ ନିୟୋଜିତ ସୁରକ୍ଷା ବାହିନୀ ମୁତୟନ ହେବ। ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୮ରୁ ୧୨ ତାରିଖ ମଧ୍ୟରେ ଦିଲ୍ଲୀରେ ୧୧୦ କମ୍ପାନି ସିଏପିଏଫ୍‌ ମୁତୟନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ବୀକୃତି ଦେଇଛି। ପ୍ରତ୍ୟେକ କମ୍ପାନିରେ ୧୨୦ରୁ ୧୩୦ ଜଣ କର୍ମଚାରୀ ଅଛନ୍ତି। ୧୧୧ଟି କମ୍ପାନିରେ ରାଜଧାନୀରେ ପୂର୍ବରୁ ଥିବା ୧୫,୦୦୦ ସିଏପିଏଫ୍‌ କର୍ମଚାରୀଙ୍କ ସହିତ ଅତିରିକ୍ତ ବାହିନୀ ମୁତୟନ ହୋଇଛନ୍ତି। ପ୍ରତିବାଦରେ ବହୁ ସଂଖ୍ୟକ ମହିଳା ସାମିଲ ହେଉଥିବାରୁ ସୁରକ୍ଷା ବାହିନୀରେ ଅତି କମ୍‌ରେ ୫ଟି କମ୍ପାନି କେବଳ ମହିଳା ସୁରକ୍ଷାକର୍ମୀଙ୍କୁ ସାମିଲ କରାଯାଇଛି। ୧୧୧ଟି ନୂଆ କମ୍ପାନି ମଧ୍ୟରୁ ୮୫ କମ୍ପାନି କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆର୍‌ପିଏଫ୍‌), ଇଣ୍ଡୋ-ତିବ୍ଦତୀୟ ବର୍ଡ଼ର ପୋଲିସ (ଆଇଟିବିପି)ର ୭ କମ୍ପାନି, ସଶସ୍ତ୍ର ସୀମା ସୁରକ୍ଷା ବଳ (ଏସ୍‌ଏସ୍‌ବି)ର ୧୦ ବାହିନୀ ଓ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌)ର ଗୋଟିଏ ବାହିନୀ ରହିଛି। ସିଆର୍‌ପିଏଫ୍‌ କମ୍ପାନୀଗୁଡ଼ିକ ମଧ୍ୟରୁ ଅଧିକାଂଶ ଛତିଶଗଡ଼ରୁ ଡକାଯାଇଛି, ଯେଉଁଠାରେ ସେମାନଙ୍କୁ ପୂର୍ବ ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ଜମ୍ମୁ ଓ କାଶ୍ମୀରର କିଛି ଅଂଶରେ ନିୟୋଜିତ କରାଯାଇଥିଲା। ଦିଲ୍ଲୀ ପୁଲିସର ୫୦୦୦ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ଏହାର ସଂଖ୍ୟା ଆହୁରି ବୃଦ୍ଧି କରି ୧୫୦୦୦ କରିବାକୁ ଲକ୍ଷ୍ୟ ରହିଛି। ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଆଇସା), ବାମପନ୍ଥୀ ଦଳ ଓ ଅନେକ ନାଗରିକ ସମାଜ ଗୋଷ୍ଠୀ ଅକ୍ଟୋବର ୨ ତାରିଖରେ ସେମାନଙ୍କର ପ୍ରତିବାଦ ଆରମ୍ଭ କରିଥିଲେ। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ସାଂସଦମାନେ ଗତ ଦୁଇ ଦିନ ଧରି ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି।