ଭୁବନେଶ୍ବର (ସତ୍ୟପାଠବ୍ୟୁରୋ) : ସଡ଼କ ଓ ଗୃହ ନିର୍ମାଣ ବିଭାଗ ଦୁର୍ନୀତି ମାମଲାରେ ଆଉ ୩ଙ୍କୁ ବାନ୍ଧିଲା ଭିଜିଲାନ୍ସ । ଭୁବନେଶ୍ୱର ଆର୍ ଆଣ୍ଡ୍ ବି ଡିଭିଜନ-୧ କାର୍ଯ୍ୟାଳୟରେ ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କାର ହେରଫେର ମାମଲା ସମନାକୁ ଆସିଛି। ଏଥିରେ ଆଉ ୩ ଜଣଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ ଅଫିସର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ ଆର୍ ଆଣ୍ଡ୍ ବି ଡିଭିଜନର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର୍ ଆଣ୍ଡ୍ ବି ଡିଭିଜନ-୧ର ପିଅନ କୁମୁଦ ସାହୁ ।
ପୂର୍ବରୁ ୬ ଜଣ ଗିରଫ ହୋଇଛନ୍ତି; ସମୁଦାୟ ଗିରଫ ସଂଖ୍ୟା ଏବେ ୯ କୁ ଛୁଇଁଛି। ଭିଜିଲାନ୍ସ ଏସପିଙ୍କ ସୂଚନା ଅନୁସାରେ ମୋଟ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି । ଏହି ମାମଲାରେ ପୂର୍ବରୁ ୨୭ ସେପ୍ଟେମ୍ବରରେ ମୁଖ୍ୟ ଅଭିଯୁକ୍ତ ସେକ୍ସନ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଏବେ ଗିରଫ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି।
