ନବରଙ୍ଗପୁର, (ସତ୍ୟପାଠବ୍ୟୁରୋ): ମିଳିଲାନି ମହାପ୍ରୟାଣ ସେବା। କୁନି ପୁଅର ଶେଷଯାତ୍ରା ପାଇଁ ବନ୍ଧା ପଡ଼ିଲା ରାସନକାର୍ଡ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ପରେ ମିଳିଲାନି ମହାପ୍ରୟାଣ ସେବା। ପରିବାର ଲୋକେ ବାଧ୍ୟ ହୋଇ ରାସନ କାର୍ଡ ବନ୍ଧକ ରଖି ଘରୋଇ ଆମ୍ବଲାନ୍ସ ଭଡ଼ା କରି ମୃତଦେହକୁ ଆଣିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଦଳେଇଗୁଡ଼ା ଗାଁର ଅମ୍ବିକା ନାୟକ ସେପ୍ଟେମ୍ବର ୨୯ ତାରିଖରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଶିଶୁପୁତ୍ରର ଓଜନ କମ୍ ଥିବାରୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା।

ମହାପ୍ରୟାଣ ଗାଡ଼ି ଯୋଗାଇଦେବାକୁ ନିବେଦନ ସତ୍ତ୍ବେ କେହି ସେମାନଙ୍କ କଥା ଶୁଣିନଥିଲେ। ଏପରିକି ମୃତ ଶିଶୁଟିକୁ ସେଠାରେ ପୋତିଦେବାକୁ କିମ୍ବା ବାଇକରେ ଶବ ନେବାକୁ ପରାମର୍ଶ ଦେଇ ନଥିଲେ କର୍ତ୍ତୃପକ୍ଷ। ଶେଷରେ ନିଜ ପରିବାରର ରାସନକାର୍ଡ ବନ୍ଧକ ରଖି ଏକ ଘରୋଇ ଆମ୍ବୁଲାନ୍ସକୁ ୫ ହଜାର ଦେଇ ମୃତଦେହ ଘରକୁ ଆଣି ସତ୍କାର କରିଥିଲେ ମୃତ ଶିଶୁର ପରିବାର । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।