ଭୁବନେଶ୍ୱର,(ସତ୍ୟପାଠବ୍ୟୁରୋ) : ଦିନକୁ ଦିନ ବଢ଼ିବାରେ ଲାଗିଛି କୋରାପୁଟ କଫିର ଚାହିଦା। ଏଣିକି ସରକାରୀ କାର୍ଯ୍ୟକ୍ରମ ହେଉ କି ଉପହାର କିଟରେ ମିଳିବ କୋରାପୁଟ କଫି। ସରକାରୀ ବୈଠକରେ ବି କୋରାପୁଟ କଫିର ସ୍ୱାଦ ପାଇବେ। କୋରାପୁଟ କଫିର ଅଧିକ ପ୍ରଚାର ପ୍ରସାର ପାଇଁ ଏମିତି କିଛି ପଦକ୍ଷେପ ନିଆଯାଉଛି। ଓଡ଼ିଶାର ସ୍ୱଦେଶୀ ଉତ୍ପାଦ “କୋରାପୁଟ କଫି’ର ପ୍ରଚାର ଓ ପ୍ରସାର ସହ ଏହାକୁ ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଦିଗରେ ଲୋକଙ୍କ ସରକାର ପ୍ରତିବଦ୍ଧ। ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏହା ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ବିଭାଗ, ନିଗମ ଓ କ୍ଷେତ୍ରୀୟ କାର୍ଯ୍ୟାଳୟର ସରକାରୀ ବୈଠକମାନଙ୍କରେ କୋରାପୁଟ କଫି ପରିବେଷଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ସ୍ମାରକୀ ଉପହାର କିଟରେ ମଧ୍ୟ କୋରାପୁଟ କଫି ରହିବ । ଏହି ପଦକ୍ଷେପ ଦ୍ୱାରା ଜନଜାତି କଫି ଚାଷୀ, ବିଶେଷ କରି ମହିଳା ଉତ୍ପାଦକମାନଙ୍କର ଆର୍ଥିକ ଉନ୍ନତି ହେବ । ତା’ସହିତ ନୂତନ ବଜାର ସୁଯୋଗକୁ ପ୍ରୋତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି।