ପାଟନା, (ସତ୍ୟପାଠ ବ୍ୟୁରୋ): ଗଙ୍ଗା ନଦୀରେ ବଡ଼ ଅଘଟଣ। ଭୋଜି ପାଇଁ ଯିବାବେଳେ ବୁଡ଼ିଗଲା ଡଙ୍ଗା। ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ବିହାର ହାଜିପୁର ଜିଲ୍ଲା ରାମପୁର ଶ୍ୟାମଚାନ୍ଦ ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ନାବାଳକ ଅଛନ୍ତି। ରାମପୁର ଶ୍ୟାମଚନ୍ଦ ଗାଁ ନିକଟ ଗଙ୍ଗା ନଦୀରେ ପ୍ରାୟ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଛୋଟ ଡଙ୍ଗା ନଦୀର ପ୍ରବଳ ସ୍ରୋତ ଏବଂ ଅତ୍ୟଧିକ ବୋଝ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାତ୍ରୀମାନେ ନଦୀ ପାର ହୋଇ ପଡ଼ୋଶୀ ଗାଁରେ ଏକ ଭୋଜିରେ ଯୋଗଦେବାକୁ ଯାଉଥିଲେ। ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହ ପ୍ରଶାସନକୁ ତୁରନ୍ତ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।