ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବା ନେଇ  ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଆଜି ଏକ ବଡ଼ ବୈଠକ ବସିଥିଲା। ଏହି ବୈଠକରେ ଏନେଇ ଅଧିକ ତଥ୍ୟ ମିଳିଛି। ତାହା ଅନୁଯାୟୀ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟଣୀ ଇନ୍‌ଫୋଭ୍ୟାଲିରେ ଆର୍‌ବିଆଇର ଡାଟା ସେଣ୍ଟର୍‌ର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ଧ୍ୟା ୫ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକେପ୍ଟର ଯୋଗେ ଇନ୍‌ଫୋଭ୍ୟାଲି ଯିବେ। ସେଠାରେ ଉଦଘାଟନ କାର୍ଯ୍ୟ ସାରି ସଡ଼କ ପଥରେ ଭୁବନେଶ୍ବର ଫେରିବେ ବୋଲି ଜଣାଯାଇଛି।

ଏଣେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ୨୮ ଓ ୨୯ରେ ରାଇରଙ୍ଗପୁର ଗସ୍ତ କରିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ସଚିବାଳୟଙ୍କ ପକ୍ଷରୁ ଅକ୍ଟୋବର ୧୩ରେ ଉପ ସାମରିକ ସଚିବଙ୍କ ଚିଠି ଜାରି ହୋଇଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ରାଜ୍ୟପାଳଙ୍କ ସଚିବ, ଡିଜିପି, ମୟୂରଭଞ୍ଜ ଜିଲ୍ଲାପାଳ,ଏସପି ଓ ପଶ୍ଚିମ ମେଦିନୀପୁର ଜିଲ୍ଲାପାଳ, ଏସପିଙ୍କୁ ଚିଠି ଯାଇଛି।

ଚିଠିରେ ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ରାସ୍ତାର ୧୨ଟି ରୁଟ୍‌ର ସ୍ଥଳ ଦୂରତା, ସମୟ ଓ ରାସ୍ତା ଅବସ୍ଥା ନିଶ୍ଚିତ କରି ରିପୋର୍ଟ ଦେବାକୁ କୁହାଯାଇଛି। ସେଗୁଡିକ ହେଲା- ଦାଣ୍ଡବୋଷ ବିମାନଘାଟିରୁ ବହଳଦା ମା’ କିଚକେଶ୍ୱରୀ ମନ୍ଦିର, ସେଠାରୁ ମହୁଲଡିହା ଲକ୍ଷ୍ମୀ ମଣ୍ଡପ, ରାଇରଙ୍ଗପୁର ବାସଭବନ, ଉପଖଣ୍ଡ ଡାକ୍ତରଖାନା, କଚେରୀ ପଡ଼ିଆ, ହଲିଡେ ହୋମ୍, ସ୍ପୋର୍ଟସ କମ୍ପ୍ଲେକ୍ସ, ବିକାଶ ନଗର, ଗୋରୁମହିଷାଣୀ ଆଇରନ କଲେଜର ମଲ୍ଟି ସ୍କିଲ୍ ସେଣ୍ଟର, ଟାଉନ ହଲ୍ କାର୍ଯ୍ୟକ୍ରମ ପରେ ପୁଣି ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ ଯାଇ ଫେରିଯିବେ।