ସତ୍ୟପାଠ (ବ୍ୟୁରୋ):
ନିଜ ଦଳ ଓ ସରକାରୀ ବ୍ୟବସ୍ଥା ଉପରେ ପୁଣି ଥରେ ନିଜର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି ସମ୍ବଲପୁର ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ନିଜକୁ ଏକ ଫୁଟବଲ ଟିମ୍ର ‘ଏକ୍ସଟ୍ରା ପ୍ଲେୟାର’ ବା ଅତିରିକ୍ତ ଖେଳାଳି ବୋଲି ଦର୍ଶାଇ ସେ ଦଳୀୟ କାର୍ଯ୍ୟଶୈଳୀ ଏବଂ ତାଙ୍କୁ କରାଯାଇଥିବା ଅଣଦେଖାକୁ ନେଇ କଟାକ୍ଷ କରିଛନ୍ତି।
ରାଜ୍ୟରେ ନିଗମ ଚେୟାରମ୍ୟାନ ପଦବୀ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବଣ୍ଟନ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମିଶ୍ର କହିଛନ୍ତି—”ମୁଁ ଦଳୀୟ ନେତୃତ୍ୱରେ ନାହିଁ କି ମୋ ପାଖରେ କୌଣସି ପଦ-ପଦବୀ ନାହିଁ। ଏ ପ୍ରଶ୍ନ ଦଳୀୟ ନେତୃତ୍ୱ କିମ୍ବା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କୁ ପଚାରନ୍ତୁ। ଆମର ଯୋଗ୍ୟତା ଅଛି କି ନାହିଁ, ସେ ନିଷ୍ପତ୍ତି ଦଳ କରିବ। ଦଳ ଆମକୁ ଯୋଗ୍ୟତା ସମ୍ପନ୍ନ ଭାବିଲା ନାହିଁ ବୋଲି ଆମେ ଏବେ ବାହାରେ ରହିଛୁ।”
ଶ୍ରୀ ମିଶ୍ର ନିଜ ମନ୍ତ୍ରୀତ୍ୱ ସମୟର ସଫଳତା ମନେ ପକାଇ କହିଛନ୍ତି ଯେ ସେ ମନ୍ତ୍ରୀ ଥିବା ବେଳେ ତିନି ତିନି ଥର ‘ଶ୍ରେଷ୍ଠ ମନ୍ତ୍ରୀ’ ପୁରସ୍କାର ପାଇଥିଲେ। କ୍ଷତିରେ ଚାଲୁଥିବା OSRTCକୁ ଲାଭଜନକ କରିବା ସହ ପରିବହନ ରାଜସ୍ୱ ୨୦୦ କୋଟିରୁ ୧୦୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧି କରିଥିଲେ। ଏଥିସହିତ ଓଡ଼ିଶାର ଅର୍ଥନୀତିକୁ ଗୁଜରାଟ ଭଳି ସୁଦୃଢ଼ କରିବା ପାଇଁ ୧୮ଟି ବନ୍ଦର ନିର୍ମାଣ ଯୋଜନାର ନୀତି ମଧ୍ୟ ସେ ଆରମ୍ଭ କରିଥିଲେ। ପୂର୍ବ ବିଜେଡି ସରକାର ସମୟରେ ବିରୋଧୀ ଦଳ ନେତା ଭାବେ ତାଙ୍କ ଭୂମିକା ଏବଂ ଲଢ଼େଇ କିଭଳି ଥିଲା, ତାହା ସମସ୍ତେ ଜାଣନ୍ତି ବୋଲି ସେ ଦୋହରାଇଛନ୍ତି।
ଫୁଟବଲ ଖେଳର ଉଦାହରଣ ଦେଇ ଶ୍ରୀ ମିଶ୍ର କହିଛନ୍ତି— “ମୁଁ ତ ଫୁଟବଲ୍ରେ ଜଣେ ଡିଫେଣ୍ଡର। ମୋ କାମ ଗୋଲ ବଞ୍ଚାଇବା। ଯଦି ଟିମ୍ ମୋତେ ଖେଳାଇବ ନାହିଁ, ତେବେ ମୁଁ କ’ଣ କରିବି? ସେ କଥା ଦଳର କୋଚ୍ କିମ୍ବା ମ୍ୟାନେଜମେଣ୍ଟ ଦେଖିବେ। ମୁଁ ବର୍ତ୍ତମାନ ଜଣେ ‘ଏକ୍ସଟ୍ରା ପ୍ଲେୟାର’। ଗୋଟିଏ ଅବଶିଷ୍ଟ ଖେଳାଳିକୁ ଟିମ୍ର ଫଳାଫଳ ବିଷୟରେ ପଚାରିଲେ କ’ଣ ଲାଭ ମିଳିବ?”
ନିଜ ଦଳୀୟ ଆନୁଗତ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତାମାନଙ୍କୁ କଡ଼ା ଜବାବ ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ସେ ବାହାରୁ କେଉଁଠୁ ଆସିନାହାନ୍ତି। କଲେଜ ଜୀବନରୁ ABVP କରିବା ପରେ ସିଧାସଳଖ ବିଜେପିରେ ସାମିଲ ହୋଇଥିଲେ।
• “ମତେ କେହି ବିଜେପି କରିନାହାନ୍ତି, ମୁଁ ନିଜେ ବିଜେପି ହୋଇଛି। ମୁଁ ଜୀବନରେ କେବେ ଦଳ ବଦଳ କରିନାହିଁ।”
• “ମୁଁ ଓଡ଼ିଶା ବିଜେପିର ସବୁଠାରୁ ପୁରୁଣା କର୍ମୀ, କିନ୍ତୁ ଦଳ ମତେ ସେହି ଗୁରୁତ୍ୱ ଦେଇନାହିଁ। ତଥାପି ମୁଁ ଦଳରେ ଥିଲି, ଅଛି ଏବଂ ଆଗକୁ ବି ରହିବି।”
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ସେ କହିଛନ୍ତି ଯେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଲୋକଙ୍କ କଥା ବୁଝିଲେ ନାହିଁ। ଏବେ ଯଦି ଗଳିକନ୍ଦି ବୁଲି ଲୋକଙ୍କ ସମସ୍ୟା ଦେଖୁଛନ୍ତି ତେବେ ତାହା ଭଲ କଥା। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ସେ ସମ୍ପୂର୍ଣ୍ଣ ଅବଗତ ନଥିବାରୁ କୌଣସି ଅଯଥା ବା ମନଗଢ଼ା ମନ୍ତବ୍ୟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
