(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଗୋଟିଏ ପଟେ ପରିବେଶ ସୁରକ୍ଷା ଏବଂ ଜଙ୍ଗଲ ବଞ୍ଚାଇବା ପାଇଁ ପେପରଲେସ୍ ବଜେଟ୍ କରାଯାଉଛି ଅନ୍ୟପଟେ ଶିଳ୍ପ ପାଇଁ ରାଜ୍ୟରେ ଥବା ଜଙ୍ଗଲକୁ ସଫା କରାଯାଉଛି । ଗତ ୧୦ବର୍ଷ ମଧ୍ୟରେ ଶିଳ୍ପ ପାଇଁ ରାଜ୍ୟରେ ପାଖାପାଖି ୬୦୦ ହେକ୍ଟର ଜଙ୍ଗଲ ଜମିରୁ ଗଛ କଟାଯାଇଛି । ଏଭଳି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଗୃହରେ ମନ୍ତ୍ରୀ କହିଛନ୍ତି ୨୦୧୦ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ବଲପୁର, ଅନୁଗୁଳ, ସୁନ୍ଦରଗଡ, ଜଗତ୍ସିଂହପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଝାରସୁଗୁଡା, ବରଗଡ ଓ କେନ୍ଦୁଝର ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜମିରୁ ଜଙ୍ଗଲ କାଟି ସଫା କରାଯାଇଛି । ଏଥିପାଇଁ ଜଙ୍ଗଲ ସଂରକ୍ଷଣ ଆଇନ୍ ୧୯୮୦ ଅନୁଯାୟୀ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛନ୍ତି ।






