ପାଣ୍ଡିଆନଙ୍କ ପହଣ୍ଡି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନବୀନଙ୍କ ପଞ୍ଚମ ପାଳିରେ ଏବେ ଯେଉଁ ବ୍ୟକ୍ତି ଓ ତାଙ୍କର କାର୍ଯ୍ୟ ମିଡିଆର ସିରୋନାମାରେ ରହୁଛି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ବା 5-ଟି ଇନ୍‌ଚାର୍ଜ ଭି.କାର୍ତ୍ତିକେୟ ପାଣ୍ଡିଆନ । ତେବେ 5-ଟି ସାରଙ୍କର ଯେଉଁ କାର୍ଯ୍ୟକୁ ନେଇ ମେନ୍‌ଷ୍ଟ୍ରିମ୍‌ ମିଡିଆ ଜୋରଦାର ଖବର ପ୍ରକାଶ କରୁଛି ତାହା ମୁଖ୍ୟତଃ ପାଣ୍ଡିଆନ ବାବୁଙ୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ପହଣ୍ଡି ବିଜେକୁ ନେଇ । ବିଭିନ୍ନ ସ୍ଥାନକୁ ପାଣ୍ଡିଆନ ବାବୁଙ୍କର ଗସ୍ତକୁ ଯେଭଳି ଭାବେ ଚିତ୍ରଣ କରାଯାଉଛି ଆଉ ଆବଶ୍ୟକତାଠାରୁ ବହୁ ଅଧିକ ତେଲ ମସଲା ଦେଇ ଖବର ପ୍ରକାଶ କରାଯାଉଛି ଏହା ଲାଗୁଛି ଯେ ଯେଭଳି ଜଣେ ସରକାରୀ ବାବୁଙ୍କର ସ୍ବଭାବିକ ସରକାରୀ ଗସ୍ତ ନୁହଁ ବରଂ ଏହା ଜଣେ ଅତି ବିରଳ ମହାନ ବ୍ୟକ୍ତିଙ୍କର ଏଭଳି ଏକ ସ୍ଥାନକୁ ଗସ୍ତ ଯାହାକି ସମ୍ପୂର୍ଣ୍ଣ ପ୍ରତ୍ୟାସିତ ଆଉ ସେ ସ୍ଥାନରେ ତାଙ୍କର ପାଦ ପଡ଼ିବା ଯୋଗୁଁ ସେଠିକାର ମାଟି ଓ ମଣିଷ ସମସ୍ତେ ଧନ୍ୟ ଓ କୃତ୍ୟକୃତ୍ୟ ହେବା ଭଳି । ବାସ୍ତବ ସ୍ଥିତିକୁ ଦେଖିଲେ ପାଣ୍ଡିଆନ ହେଉଛନ୍ତି ଜଣେ ଜନ ସେବକ । ତେଣୁ ସରକାରୀ କାର୍ଯ୍ୟ ପାଇଁ କୌଣସି ସ୍ଥାନକୁ ଗସ୍ତ କରିବା ଏହା ଏକ ଅତି ସ୍ବାଭାବିକ ଘଟଣା । କିନ୍ତୁ ତାଙ୍କର ଗସ୍ତକୁ ଯେଭଳି ରୋଚକ ଢଙ୍ଗରେ ମିଡିଆ ଉପସ୍ଥାପନ କରୁଛି ଯେଭଳି ଏହା ଗସ୍ତ ନୁହଁ ମହାନ ବ୍ୟକ୍ତିଙ୍କର ପହଣ୍ଡି ବିଜେ ।

ତେବେ ପାଣ୍ଡିଆନଙ୍କର ପହଣ୍ଡି ବିଜେକୁ ନେଇ ଦୁଇଟି ପ୍ରଶ୍ନ ଉଠୁଛି । ପ୍ରଥମ ପ୍ରଶ୍ନ ହେଲା ଯେଉଁ ମିଡିଆ 2019 ନିର୍ବାଚନ ପର୍ଯ୍ୟନ୍ତ ପାଣ୍ଡିଆନଙ୍କ ବାବଦରେ 2 ଧାଡ଼ି ଲେଖିବା ପୂର୍ବରୁ 20 ଥର ଭାବୁଥିଲେ ଏବେ ଏତେ ଉଦାରଚିତ୍ତରେ ବିଜେ ଘଟଣାକୁ ନେଇ ଖବର ପ୍ରକାଶ କରିବା ପଛରେ ପାଣ୍ଡିଆନଙ୍କ ପକ୍ଷରୁ ଗ୍ରୀନ ସିଗ୍‌ନାଲ ନିଶ୍ଚିତ ଅଛି ନା ନାହିଁ ? କାରଣ ମିଡିଆ ପାଣ୍ଡିଆନଙ୍କର ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମକୁ ନେଇ ସେ ଯେ ଜଣେ ସାଧାରଣ ସଚିବ ବା ପ୍ରଶାସନିକ ଅଧିକାରୀ ନୁହନ୍ତି ବଂର ଜଣେ ଅତିସଚିବ ଗୁଣ ସମ୍ପର୍ଣ୍ଣ ଅଧିକାରୀ ଯାହାକି ଲୋକସେବକ ଭବନର ବିରାଜୁଥିବା ଅନ୍ୟ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କଠାରୁ ବହୁ ଉର୍ଦ୍ଧ୍ବରେ । ଆଉ ଯେଉଁ ମେନ୍‌ଷ୍ଟ୍ରିମ ମିଡିଆଗୁଡ଼ିକ ଏହି ଖବରଗୁଡ଼ିକୁ ଆବଶ୍ୟକତାଠାରୁ ଅଧିକ ଉତ୍ସାହରେ ପ୍ରକାଶ କରୁଛନ୍ତି ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କର ଶହ ଶହ କୋଟି ବିଜ୍ଞାପନ ବଜେଟ୍‌ର ଏଇମାନେ ହିଁ ପ୍ରମୁଖ ହିତାଧିକାରୀ । ତେଣୁ ସ୍ବାଭାବିକ ଭାବରେ ଯଦି ପାଣ୍ଡିଆନ ବାବୁଙ୍କର ନିଜର ପହଣ୍ଡି ସମ୍ପର୍କିତ ଖବର ପ୍ରକାଶନକୁ ନେଇ ସ୍ବୀକୃତି ନଥିବ ତାହା ହେଲେ ସରକାରଙ୍କର ବିଜ୍ଞାପନ ବଜେଟ୍‌ର ଏହି ପ୍ରମୁଖ ହିତାଧିକାରୀ ମିଡିଆ ସଂସ୍ଥାମାନଙ୍କ ପିଠି ହାଡ଼ ଏତେ ମଜବୁତ ନୁହେଁ ଯେ ସେମାନେ ବିନା ସ୍ବୀକୃତିରେ ଖବର ପ୍ରକାଶ କରିଦେବେ ।

ଏଠି ଦ୍ବିତୀୟ ପ୍ରଶ୍ନ ଉଠୁଛି ଯେ ପାଣ୍ଡିଆନ ବାବୁଙ୍କ ଭଳି ଜଣେ ଅତ୍ୟନ୍ତ କଠିନ ପରିଶ୍ରମି, ସ୍ବଳ୍ପଭାଷୀ, କମ୍‌ ମେଳାପି ଏବଂ CMଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ବ୍ୟକ୍ତିଙ୍କର ମିଡିଆରେ ପ୍ରଚାର ପ୍ରସାର ପ୍ରତି ରହିଛି ପ୍ରଚଣ୍ଡ ଦୁର୍ବଳତା । କାରଣ 2019 ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତିଙ୍କର ଇମେଜ୍ ଗୁଗୁଲରେ ସର୍ଚ୍ଚ କଲେ ବି ମିଳୁନଥିଲା ଏବେ ମାଳ ମାଳ ଫଟୋ ବୁଲିବା ପଛରେ ନିଶ୍ଚିତ ସ୍ବୀକୃତି ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ପାଣ୍ଡିଆନଙ୍କର ଯେଉଁ ଘଟଣାକୁ ମିଡିଆ ପ୍ରାୟତଃ ରୁଟିନ ଆକାରରେ ହାଇଲାଇଟ୍‌ କରୁଛି ତାହା ହେଲା ତାଙ୍କର ଗସ୍ତ କାର୍ଯ୍ୟକ୍ରମ ।

ଏବେ ପ୍ରଶ୍ନ ଉଠୁଛି ଯେ ନିଜର ଖବରର ସିରୋନାମା ଓ ରୋଚକ ହେବା ପାଇଁ ଗସ୍ତ କାର୍ଯ୍ୟକ୍ରମକୁ ସେଇଭଳି କରାଯାଉନି ତ ? ଉଦାହରଣ ସ୍ବରୂପ- ‘‘ପାହାନ୍ତିଆରେ କଟକ ମେଡିକାଲରେ ପାଣ୍ଡିଆନ, ବଡ଼ି ଭୋରରୁ ଓୟୁଏଟି କ୍ୟାମ୍ପସରେ ପାଣ୍ଡିଆନ, କୁହୁଡ଼ି ଅନ୍ଧାରରେ କୋଣାର୍କରେ କାର୍ତ୍ତିକ, ପାନ ଛେପ ଦେଖି ରାଗିଲେ ପାଣ୍ଡିଆନ, ତାରା ତାରିଣୀରେ ଆଶୀର୍ବାଦ ଲୋଡ଼ିଲେ ପାଣ୍ଡିଆନ, ଶ୍ରୀମନ୍ଦିରରେ ପତ୍ନୀଙ୍କ ସହ ପାଣ୍ଡିଆନ, ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ ପାଣ୍ଡିଆନ, ଅନାଥାଶ୍ରମରେ ପିଲାଙ୍କ ସହ ପାଣ୍ଡିଆନ, ଭିତରକନିକାରେ ପାଣ୍ଡିଆନ’’ ଏସବୁ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ହେଡ୍‌ଲାଇନ୍ସ ଯେଭଳି ଅଲଗା ଅଲଗା ରଖାଯାଉଛି, ମିଡିଆରେ ମଧ୍ୟ ସେହିଭଳି ଗସ୍ତ କାର୍ଯ୍ୟକ୍ରମର ଅଲଗା ଅଲଗା ଫଟୋ ଛପାଯାଉଛି । ମିଡିଆ କେବଳ ଗସ୍ତ କାର୍ଯ୍ୟକ୍ରମକୁ ହାଇଲାଇଟ୍‌ କରୁନି ଏଥିସହିତ ଖବରକୁ ଏଭଳି ରୂପ ଦିଆଯାଉଛି ଯେ ବୋଧ ହୁଏ ଏସବୁ ସ୍ଥାନ ଏବଂ ଅନୁଷ୍ଠାନ ବିକାଶ ଯୋଜନାର ଶ୍ରେୟ ହେଉଛି ପାଣ୍ଡିଆନ ବାବୁଙ୍କର । ଯେମିତି କି ଏସ୍‌ସିବି ମେଡିକାଲ କଲେଜ ବିଶ୍ବସ୍ତରୀୟ ହେବ, ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ତାରାତାରିଣୀ ମନ୍ଦିରର ବିକାଶ, ଭିତରକନିକା ତଳସରି ବିଶ୍ବସ୍ତରୀୟ ଇତ୍ୟାଦି ଇତ୍ୟାଦି । ଏଥିରୁ ଲାଗୁଛି ଯେ ଭିତ୍ତିଭୂମି ବିକାଶ ନକ୍ସାର କଥା ଯେଉଁଠି ଉଠୁଛି ବାବୁ ସେଇଠିକି ଯାଉଛନ୍ତି, କିନ୍ତୁ ଭିଡ଼କୁ ଯାଉ ନାହାନ୍ତି ।  ଏବେ ଲାଗୁଛି ନବୀନ ବାବୁଙ୍କ 20 ବର୍ଷ ଶାସନର ନବକଳେବର ଆସିଛି ଆଉ ତାହାର ବିଶ୍ବକର୍ମା ହେଉଛନ୍ତି ବାବୁ ପାଣ୍ଡିଆନ ।

Related Posts