ବିଶ୍ୱର ସର୍ବବୃହତ ପରିବାରର ମୁଖିଆ ଜିଓନା ଚାନାଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ପରିବାରର ମୁଖିଆଙ୍କ ପରଲୋକ। ସେ ହେଉଛନ୍ତି ମିଜୋରାମ ବାସିନ୍ଦା ଜିଓନା ଚାନା। ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ତାଙ୍କର ୩୮ ଜଣ ସ୍ତ୍ରୀ , ୮୯ ଜଣ ପୁଅ ଝିଅ ଏବଂ ୩୬ ଜଣ ନାତି ନାତୁଣୀ ଏବଂ କିଛି ଅଣ ନାତି ନାତୁଣୀ ମଧ୍ୟ ଅଛନ୍ତି। ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ସେ ମିଜୋରାମର ବାକତ୍ୱାଙ୍ଗ ଗ୍ରାମରେ ବାସ କରୁଥିଲେ।ତାଙ୍କୁ ଜୁନ୍ ୧୧ ତାରିଖରେ ତାଙ୍କ ବାସଭବନରୁ ୬୦ କିଲୋମିଟର ଦୂରରେ ଥିବା ଆଇଜୱାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ୧୯୪୫ ଜୁଲାଇ ୨୧ରେ ସେ ଜନ୍ମ ଗ୍ରହଣ କରିଥିଲେ। ୧୭ ବର୍ଷ ବୟସରେ ସେ ପ୍ରଥମ ପତ୍ନୀ ଜାଥିଆଙ୍ଗିଙ୍କୁ ବିବାହ କରିଥିଲେ, ଯିଏ ଜିଓନାଙ୍କ ଠାରୁ ବୟସରେ ତିନିବର୍ଷ ବଡ ଥିଲେ। ଜିଓନା ଚାନା ଏବଂ ତାଙ୍କ ପରିବାର ‘ଛୁଆନ୍ ଥାର୍ ରନ୍’ ଅର୍ଥାତ ନୂଆ ପିଢିଙ୍କ ଘର ନାମକ ଏକ ଚାରି ମହଲା ଘରେ ରହୁଥିଲେ।

ବର୍ଷ ବର୍ଷ ଧରି ଏହା ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା ଏବଂ ତାଙ୍କ ପରିବାରର କାହାଣୀ ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଲା । ୧୯୪୨ ମସିହାରେ, ଚାନାଙ୍କ ଜେଜେବାପା ଖୁଆଙ୍ଗଟୁଆ ଏକ ବହୁବିବାହୀ ଧର୍ମ ଚାନା ପୱଲ୍ ଅର୍ଥାତ୍ ଛୁଆନଥର୍ ପ୍ରତିଷ୍ଠା କରିଥିଲେ । ଚାନା ଏହାକୁ ଆଗକୁ ବଢାଇଥିଲେ ଏବଂ ବର୍ତ୍ତମାନ ଏହାର ପ୍ରାୟ ୨୦୦୦ ଅନୁଗାମୀ ଅଛନ୍ତି। ଜିଓନା ଯେଉଁ ଧାର୍ମିକ ସମୁଦାୟର ଥିଲେ ଉକ୍ତ ସମୁଦାୟର ଆଉ ପ୍ରାୟ ୪୦୦ ଲୋକ ଅଛନ୍ତି। ସେମାନେ ବସବାସ କରୁଥିବା ‘ଛୁଆନ୍ ଥାର୍ ରନ୍’ ର ତଳ ମହଲା ପର୍ଯ୍ୟଟକଙ୍କ ପାଇଁ ଖୋଲା। କିନ୍ତୁ ଉପର ମହଲା ଯେଉଁ ଠାରେ ଚାନା ରହୁଥିଲେ ସେଠାକୁ କାହାରିକୁ ଯିବା ପାଇଁ ଅନୁମତି ଦିଆଯାଉନଥିଲା। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟ୍ୱିଟ୍‍ କରି ଜିଓନାଙ୍କ ମୃତ୍ୟୁଖବର ଜଣାଇଛନ୍ତି।

Related Posts