ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନଙ୍କ ବିରୋଧରେ ବିଦ୍ରୋହ : ବାଚ୍ଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ ଦଳର ୫ ସାସଂଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିହାର ରାଜନୀତିରେ ବଡ ଧରଣର ଓଲଟଫେର ହେବାକୁ ଯାଉଛି। ଲୋକ ଜନଶକ୍ତି ପାର୍ଟିର (LJP) ପାଞ୍ଚ ଜଣ ସାସଂଦ ଦଳର ସଭାପତି ଚିରାଗ ପାଶୱାନଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି । ବିହାର ବିଧାନସଭା ନିର୍ବାଚନରେ LJPର ଶୋଚନୀୟ ପରାଜୟ ପରେ ଦଳ ମଧ୍ୟରେ କନ୍ଦଳ ଦେଖାଦେଇଥିଲା । ଲୋକସଭାରେ ଏଲଜେପିର ୬ ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଚିରାଗ ପାଶୱାନଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପଶୁପତି ପରସ ପାଶୱାନ୍ (ମାମୁଁ), ପ୍ରିନ୍ସ ରାଜ (ସମ୍ପର୍କୀୟ), ଚନ୍ଦନ ସିଂ, ବୀଣା ଦେବୀ ଏବଂ ମେହବୁବ ଅଲି କେସର ଏଲଜେପି ବିରୋଧରେ ବିଦ୍ରୋହ କରିଥିଲେ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ପାଞ୍ଚ ଜଣ ସାସଂଦ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ସେମାନଙ୍କୁ ଏଲଜେପି ଠାରୁ ଅଲଗା କରିବା ପାଇଁ ଅନୁମତି ମାଗିଥିଲେ। କୁହାଯାଉଛି ଯେ ଏହି ପାଞ୍ଚ ଜଣ ଏଲଜେପି ସାସଂଦ ଜେଡିୟୁ ସହିତ ଯୋଗାଯୋଗରେ ଅଛନ୍ତି । ବିହାର ବିଧାନସଭା ନିର୍ବାଚନ ସମୟରୁ ଏହି ସମସ୍ତ ସାଂସଦ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଦଳର ସଭାପତି ଚିରାଗ ପାସୱାନଙ୍କ କାମରେ ସାସଂଦ ମାନେ ଅସନ୍ତୁଷ୍ଟ ଥିଲେ। ବିହାର ବିଧାନସଭା ନିର୍ବାଚନରେ ​​ଏଲଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା । ​​ଏବଂ ପରେ ସେହି ବିଧାୟକ ଜେଡିୟୁରେ ସାମିଲ ହୋଇଯାଇଥିଲେ। ବର୍ତ୍ତମାନ ବିଧାନସଭା କିମ୍ବା ବିଧାନ ପରିଷଦରେ ଏଲଜେପିର କୌଣସି ବି ସଦସ୍ୟ ନାହାନ୍ତି । ବର୍ତ୍ତମାନ ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କଳ୍ପନାଜଳ୍ପନା ମଧ୍ୟରେ ଚିରାଗଙ୍କ ନାମ କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଚିରାଗଙ୍କୁ ନେଇ ଜେଡିୟୁ ଆପତ୍ତି ଜଣାଇଥିଲା। ଜେଡିୟୁର ଆପତ୍ତି ପରେ ଏନଡିଏ ବୈଠକରେ ଯୋଗଦେବା ପାଇଁ ଚିରାଗଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ମଧ୍ୟ ପ୍ରତ୍ୟାହାର କରିଦିଆଯାଇଥିଲା। ବିହାର ବିଧାନସଭା ନିର୍ବାଚନରେ ​​ଚିରାଗ ନୀତୀଶ କୁମାରଙ୍କ ଉପରେ ଜୋରଦାର ହମଲା କରୁଥିଲେ। ଏଥିପାଇଁ ଜେଡିୟୁକୁ ଅନେକ ସିଟ୍ ରେ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡିଥିଲା । ଯଦି ଏଲଜେପିର ସମସ୍ତ ପାଞ୍ଚଜଣ ସାଂସଦ ଜେଡିୟୁରେ ଯୋଗ ଦିଅନ୍ତି ତେବେ ଲୋକସଭାରେ ଜେଡିୟୁର ଆସନ ସଂଖ୍ୟା ବୃଦ୍ଧି ପାଇବ। ନିୟମ ଅନୁଯାୟୀ, ଯଦି କୌଣସି ରାଜନୈତିକ ଦଳର ସଂସଦୀୟ ଦଳର ଦୁଇ ତୃତୀୟାଂଶ ସାଂସଦ ଅଲଗା ହୋଇ ଯାଆନ୍ତି ତେବେ ଏହି ଦୁଇ-ତୃତୀୟାଂଶ ସାଂସଦ ଅନ୍ୟ କୌଣସି ଦଳରେ ବିଲୟ ହୋଇ ପାରିବେ । ତେବେ ସୋମବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ଏ ସମ୍ପର୍କରେ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି।

Related Posts