(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା  ସରକାର ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବହୁ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବତା ଠିକ୍ ଓଲଟା। ଆଜି ବି ଲୋକେ ଖଟିଆରେ ବୁହା ହେଉଛନ୍ତି। ଇକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ୍ ହେଉଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି, ରାଜଧାନୀ ଭୁବନେଶ୍ବର ବି ସ୍ମାର୍ଟ ସିଟି। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଭଳି ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ବି ସମାନ ମାନ୍ୟତା ପାଇଛି । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଯେଉଁ ସବୁ ସୁବିଧା ଉପଲବ୍ଧ ଅଛି ତାହାର କାଣିଚାଏ ବି ଆର୍‌ଜିଏଚ୍‌ ହସ୍ପିଟାଲରେ ନାହିଁ। ୨୦୧୯ ଅକ୍ଟୋବର ମାସରେ ୫ଟି ସଚିବ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ରାଉରକେଲା ସରକାରୀ ହସ୍ପିଟାଲ ଗସ୍ତ କରି ବିଭିନ୍ନ ବିଭାଗ ବୁଲି ସ୍ଥିତିର ଅନୁଧ୍ୟାନ କଲେ। ହସ୍ପିଟାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ଡାକ୍ତରଖାନରେ ଥିବା ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଲେ। ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ‘ମୋ ସରକାର’ ପାଣ୍ଠିରୁ ଡାକ୍ତରଖାନ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁରି କରାଗଲା । ୨୮ ଅକ୍ଟୋବର ୨୦୧୯ ରେ  ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରାଗଲା ବୋଲି ସରକାର ଘୋଷଣା କଲେ। ଏହାର ଖୁବ୍ ପ୍ରଚାର ପ୍ରସାର କରାଗଲା।

    ରାଜ୍ୟ ସରକାରଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କ ପାଖକୁ ଏ ସମ୍ପର୍କିତ ଚିଠି ଆସିଲା। କିନ୍ତୁ ଫଳ ଶୂନ୍ୟ। ଏହା ମଧ୍ୟରେ ଦେଢ଼ବର୍ଷ ବିତି ଗଲାଣି । ଘୋଷଣା ପରେ ସରକାର ଭୁଲିଗଲା ଭଳି ଆଜି ପର୍ଯ୍ୟନ୍ତ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବି ପଦକ୍ଷେପ ନିଆଗଲା ନାହିଁ। ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରାଯିବା ନିଷ୍ପତ୍ତି ଚିଠିରେ ସୀମିତ ରହିଯାଇଛି। ତେବେ ସବୁଠାରୁ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିର ଇସ୍ୟୁ ନମ୍ବର ନାହିଁ କି ସେଥିରେ କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ। ଏହି ଚିଠି ହିଁ ଦର୍ଶାଉଛି ଓଡିଶାର ସ୍ବାସ୍ଥ୍ୟ ବ୍ୟବସ୍ଥା କେମିତି ଚାଲିଛି। ଘୋଷଣା ହେବା ପରେ କାମ ହେବା ପରିବର୍ତ୍ତେ ଚିଠିରେ ସିମୀତ ରହିଯାଉଛି। ରାଉରକେଲା ଭଳି ସ୍ମାର୍ଟସିଟିର ସ୍ବାସ୍ଥ୍ୟ ବ୍ୟବସ୍ଥା ଯଦି ଏମିତେ ତେବେ ଉପାନ୍ତ ଅଞ୍ଚଳର ସ୍ବାସ୍ଥ୍ୟ ସେବା କେମିତି ଚାଲିଥିବ ତାହା ଏଥିରୁ ସ୍ପଷ୍ଟ ଭାବେ ଆକଳନ କରାଯାଇ ପାରିବ। 

ସରକାରଙ୍କ ଘୋଷଣା ଗୋଟେପଟେ ଅନ୍ୟ ପକ୍ଷରେ ୨୭୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଅର୍ନ୍ତବିଭାଗରେ ପ୍ରତିଦିନ ୩୮୦ ରୁ ୪୦୦ ‌ ରୋଗୀ ଭର୍ତ୍ତି ହେଉଛନ୍ତି । ସ୍ଥିତି ଏମିତି ଯେ ବେଡ୍‌ ନଥିବାରୁ କିଛି ରୋଗୀ ବାରଣ୍ଡା ଏବଂ ବେଡ୍‌ ତଳ ଚଟଣାରେ ଚିକିତ୍ସିତ ହେଉଛନ୍ତି। ବିଡମ୍ବନାର ବିଷୟ ହେଉଛି ରାଉରକେଲା ଭଳି ସ୍ମାର୍ଟ ସିଟିରେ ସ୍ବାସ୍ଥ୍ୟ ସେବାର ଏଭଳି କରୁଣ ଦୃଶ୍ୟ ମାସେ କି ୨ ମାସର ନୁହେଁ ବରଂ ବର୍ଷ ବର୍ଷ ଧରି ରୋଗୀ ମାନେ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ। ଆଶ୍ଚର୍ଯ୍ୟଜନକ କଥା ହେଉଛି ରାଜ୍ୟ ସରକାରଙ୍କ ପାଣ୍ଠି ଅଭାବରୁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)କୁ ବିନିଯୋଗ ହେଉଛି। ସ୍ଥିତି ଏଭଳି ଯେ ଡାକ୍ତର, ଆମ୍ବୁଲାନ୍ସ ସେବା, ନର୍ସ ଏମିତି କି ମୋ ସରକାର ପାଣ୍ଠି ମଧ୍ୟ ଡିଏମ୍‌ଏଫ୍‌ରୁ ଆସୁଥିବା ସୂଚନା ରହିଛି । ଆର୍‌ଜିଏଚ୍ ର ମାସିକ ଖର୍ଚ୍ଚର ପ୍ରାୟ ୩୦ରୁ ୪୦ ପ୍ରତିଶତ ଅର୍ଥ ଡିଏମ୍‌ଏଫ୍ ବହନ କରୁଛି। ଆଶଙ୍କା କରାଯାଉଛି ଯେ ଯେଉଁ ଦିନ ଡିଏମ୍‌ଏଫ୍‌ ବନ୍ଦ ହୋଇଯିବ, ସେହି ଦିନ ଆର୍‌ଜିଏଚ୍‌ ରୁ ଅନେକ ସୁବିଧା ସୁଯୋଗ ହଟିଯିବ। 

ରାଉରକେଲାର ଏହି ବଡ ସରକାରୀ ହସ୍ପିଟାଲର ବିଭିନ୍ନ ବିଭାଗରେ ମୋଟ ୫୫ ଜଣ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଡାକ୍ତର ଡିଏମ୍‌ଏଫ୍‌ ଦ୍ବାରା ନିଯୁକ୍ତ ହୋଇଛନ୍ତି। କେବଳ ଡାକ୍ତର ନୁହେଁ ୩୭ ନର୍ସ ସାଙ୍ଗକୁ ୨ଟି ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଡିଏମ୍‌ଏଫ୍‌ ବହନ କରୁଛି। ଆର୍‌ଜିଏଚ୍‌ ରେ ଦୀର୍ଘ ଦିନର ଦାବି ପରେ ପିପି ମୋଡରେ ସିଟି ସ୍କାନ୍, ଡାୟଲେସିସ୍‌ ସୁବିଧା ହୋଇଛି। ଏକ୍ସ-ରେ, ଅଲଟ୍ରା ସାଉଣ୍ଡ, ଇସିଜି, କେମୋ ‌ଥେରାପି ଭଳି କିଛି ସୁବିଧାର ଉପଲବ୍ଧ  ଅଛି। ତେବେ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ଏବଂ ଏମ୍‌ଆର୍‌ଆଇ ସୁବିଧା ଆଜି ପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ହସ୍ପିଟାଲର ଏସି କାମ କରୁନାହିଁ କି ପୃଥକ ଭାବେ ଦୁର୍ଘଟଣା ବିଭାଗଟିଏ ବି ଖୋଲି ପାରିଲାନି । ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ନଥିବାରୁ ଏଥିପାଇଁ ପାନପୋଷ ଏସ୍‌ଡିଏମ୍‌ଓ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି।

ରାଉରକେଲାର ଏହି ବଡ ସରକାରୀ ହସପିଟାଲରେ ଫରେନ୍‌ସିକ୍‌ ବିଭାଗ, ଶିଶୁ ବିଭାଗ ପାଇଁ ଆଇସିୟୁ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ରେଡିଓଲୋଜିଷ୍ଟ ନଥିବାରୁ ଅଲଟ୍ରା ସାଉଣ୍ଡ ସେବା ମଧ୍ୟ ଠିକ୍ ଭାବେ ମିଳୁ ନାହିଁ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରମାନେ କୌଣସି ଉପାୟରେ କାମ ଚଳାଇଦେଉଛନ୍ତି । ଅଡି‌ଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ, ସାଇକ୍ରେଟିକ୍ସ ବିଭାଗରେ ବିଶେଷଜ୍ଞ ନାହାନ୍ତି। ଜଳପୋଡା ବିଭାଗ ଅଛି କିନ୍ତୁ ଡାକ୍ତର ନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଡାଟା ରଖିବା ପାଇଁ କାମକରୁଥିବା ଏମ୍‌ଆର୍‌ଡି (ମେଡିକାଲ୍‌ ରେକର୍ଡ ଡିପାର୍ଟମେଣ୍ଟ) ପ୍ରତ୍ୟେକ ବିଭାଗର ଡକ୍ୟୁମେଣ୍ଟ ସଠିକ୍‌ ଭାବେ ଦେଖାରେଖା କରିପାରୁ ନାହିଁ। ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ୧୬ଟି ସରକାରୀ କ୍ବାର୍ଟର୍ସ ରହିଛି, ଡାକ୍ତରଙ୍କ ସଂଖ୍ୟା ୫୫ ଥିବା ବେଳେ କ୍ବାର୍ଟର୍ସ ହେଉଛି ମାତ୍ର ୬ , ୨୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ମାତ୍ର ୧୦ଟି କ୍ବାର୍ଟର୍ସ।  ଉଲ୍ଲେଖନୀୟ କଥା ହେଉଛି , ଆର୍‌ଜିଏଚ୍‌ ଉପରେ କେବଳ ରାଉରକେଲା ବାସୀ ନୁହେଁ ବରଂ ଜିଲ୍ଲାର ଅଧିକାଂଶ ଉପାନ୍ତ ଅଞ୍ଚଳ ସାଙ୍ଗକୁ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ ରାଜ୍ୟର ରୋଗୀ ମଧ୍ୟ ନିର୍ଭରଶୀଳ। ପ୍ରତି ଦିନ ବର୍ହିବିଭାଗରେ ପ୍ରାୟ ୮୦୦ରୁ ୧୦୦୦ ରୋଗୀ ଏବଂ ଅର୍ନ୍ତବିଭାଗରେ ୩୦୦ରୁ ୪୦୦ ରୋଗୀ ଚିକିତ୍ସିତ ହେଉଛନ୍ତି। ଆରଜିଏଚ୍ ର ଶଯ୍ୟା ସଂଖ୍ୟା ୧୨୮ରୁ ବଢ଼ି ୨୭୬କୁ ବୃଦ୍ଧି ପାଇଥିଲା।