ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହର୍ମୁଜ୍ ପ୍ରଣାଳୀ ପରେ ଅନ୍ତର୍ଜାତୀୟ ବିମାନ ପାଇଁ ଆକାଶ ସୀମା ଖୋଲିଲା ଇରାନ । ଏନେଇ ଇରାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ, ଇରାନ ଏହାର ପୂର୍ବ ଭାଗ ଦେଇ ଯାଉଥିବା ଅନ୍ତର୍ଜାତୀୟ ବିମାନ ପାଇଁ ଆଂଶିକ ଭାବରେ ନିଜର ଆକାଶ ମାର୍ଗ ଖୋଲି ଦେଇଛି। ଫେବ୍ରୁଆରି ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକାର ଇରାନ ଉପରେ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବିମାନ ପାଇଁ ଆକାଶ ମାର୍ଗ ବନ୍ଦ କରାଯାଇଥିଲା। କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି, ଇରାନର ଆକାଶ ମାର୍ଗର ପୂର୍ବ ଭାଗରେ ଥିବା ବିମାନ ମାର୍ଗଗୁଡ଼ିକ ଅନ୍ତର୍ଜାତୀୟ ବିମାନ ପାଇଁ ଖୋଲା ଅଛି। ଅନେକ ବିମାନବନ୍ଦର ମଧ୍ୟ ଖୋଲାଯାଇଛି। ଇରାନ ଦ୍ୱାରା ଆକାଶ ମାର୍ଗ ଖୋଲିବା ସତ୍ତ୍ୱେ, ବିମାନ କମ୍ପାନିଗୁଡ଼ିକ ଏହି ମାର୍ଗ ଗ୍ରହଣ କରିବାରେ ସତର୍କତା ଅବଲମ୍ବନ କରୁଛନ୍ତି।