ରାଜ୍ୟର ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ କରିବେ ଏସ୍ଏଚଜି ମହିଳା, ମନରେଗା ଯୋଜନା ଅଧୀନରେ ମିଳିବ ପାରିଶ୍ରମିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଥିବା ସରକାରୀ ସ୍କୁଲ ଗୁଡ଼ିକର ରକ୍ଷଣାବେକ୍ଷଣ ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କରିବେ । ସ୍କୁଲ ହତାର ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନ ରଖିବା ଓ ଆସବାବପତ୍ରର ଯତ୍ନ ଦାୟିତ୍ୱ ଏସ୍ଏଚଜି ମହିଳାଙ୍କ ଉପରେ ନ୍ୟସ୍ତ କରାଯିବ । ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ ହେବ । ପ୍ରାଥମିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହୋଇଛି। ଏନେଇ ଓସେପା ପକ୍ଷରୁ ମୋ ସ୍କୁଲ ଅଧ୍ୟକ୍ଷାଙ୍କୁ ଅବଗତ କରାଯାଇଛି ।ଏହା ସହ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ଚିଠି ଲେଖାଯାଇଛି ।ଏଥିପାଇଁ ଏସ୍ଏଚଜି ମହିଳାଙ୍କୁ ପାରିଶ୍ରମିକ ମଧ୍ୟ ଦିଆଯିବ। ମନରେଗା ଯୋଜନା ଅଧୀନରେ ମହିଳା ମାନଙ୍କୁ ଦୈନିକ ୨୧୫ ଟଙ୍କା ହିସାବରେ ପାରିଶ୍ରମିକ ମିଳିବ ବୋଲି ସୂଚନା ମିଳିଛି।

ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ ପ୍ରକିୟା ତ୍ୱରାନ୍ୱିତ କରାଯିବ । ରାଜ୍ୟ ସରକାରଙ୍କ ଫାଇଭ୍-ଟି ଉପକ୍ରମରେ ରୂପାନ୍ତରିତ ସରକାରୀ ସ୍କୁଲ ଗୁଡ଼ିକ ଘରୋଇ ବିଦ୍ୟାଳୟ ସମକକ୍ଷ ହୋଇପାରିଛି । ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ମାର୍ଟ କ୍ଲାସରୁମ୍, ଅତ୍ୟାଧୁନିକ ଲାଇବ୍ରେରୀ ଓ କ୍ୟାମ୍ପସରେ ସୁନ୍ଦର ବଗିଚା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧ ହଜାର ୭୬ ସ୍କୁଲର ରୂପାନ୍ତରଣ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲର ରୂପରେଖ ବଦଳିଛି ।

Related Posts