ବିରୋଧୀଙ୍କ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରକୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ – ” ସରକାର ପେଗାସସ୍ କିଣିଛନ୍ତି କି ନାହିଁ ଉତ୍ତର ଦିଅନ୍ତୁ ? “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ୍ ଏବଂ କୃଷି ଆଇନକୁ ନେଇ ବିରୋଧୀ ସଂସଦର ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ମୋଦୀ ସରକାରଙ୍କୁ ଘେରିଛନ୍ତି। ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁ ନାହିଁ। ବିରୋଧୀ ଦଳ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରାୟ 14 ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ। ବୈଠକ ଶେଷ ହେବା ପରେ ବିରୋଧୀ ଦଳର ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।  

   ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ , ” ସଂସଦରେ ବିରୋଧୀଙ୍କ ସ୍ୱରକୁ ଚାପି ଦିଆଯାଉଛି, ଆମର ଏକମାତ୍ର ପ୍ରଶ୍ନ ହେଉଛି କେନ୍ଦ୍ର ସରକାର ପେଗାସସ୍ କିଣିଛନ୍ତି କି ନାହିଁ। ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ ସରକାର ନିଜ ଦେଶର ଲୋକଙ୍କ ବିରୋଧରେ ପେଗାସସ୍ ବ୍ୟବହାର କରିଛନ୍ତି କି ନାହିଁ ଏହାର ଜବାବ ଦେବା ଉଚିତ।  କେନ୍ଦ୍ର ସରକାର ଏହି ସ୍ପାଇୱୟାରକୁ ନିଜ ଦେଶର ଲୋକଙ୍କ ବିରୋଧରେ ବ୍ୟବହାର କରିଛନ୍ତି କି ନାହିଁ ଏହାର ଉତ୍ତର ଆମେ ଏହା ଜାଣିବାକୁ ଚାହୁଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। 

 ସଂସଦକୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ , “ଆମ ବିଷୟରେ କୁହାଯାଉଛି ଯେ ଆମେ ସଂସଦର ପ୍ରକ୍ରିୟାକୁ ବ୍ୟାଘାତ କରୁଛୁ। ଆମେ ଗୃହକୁ ବିଚଳିତ କରୁନାହୁଁ। ଆମେ କେବଳ ଆମର କର୍ତ୍ତବ୍ୟ ପାଳନ କରୁଛୁ। ଏହି ଅସ୍ତ୍ର (ପେଗାସସ୍) ଆତଙ୍କବାଦୀ ଏବଂ ଦେଶଦ୍ରୋହୀଙ୍କ ବିରୋଧରେ ବ୍ୟବହାର କରାଯିବା ଉଚିତ। ରାହୁଲ ଗାନ୍ଧୀ କହିଛନ୍ତି ଯେ , ଆମେ ନରେନ୍ଦ୍ର ମୋଦୀଙ୍କୁ ପଚାରିବାକୁ ଚାହୁଁଛୁ ଯେ ଗଣତନ୍ତ୍ର ବିରୁଦ୍ଧରେ ଏହି ଅସ୍ତ୍ର (ପେଗାସସ୍)କୁ କାହିଁକି ବ୍ୟବହାର କରାଯାଇଥିଲା ? ” ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ , ସରକାର କିଛି ନା କିଛି ଭୁଲ କରିଛନ୍ତି, ତେଣୁ ଆଲୋଚନାକୁ ଏଡ଼େଇ ଦେଉଛିନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

  ରାହୁଲ କହିଛନ୍ତି, ଆମେ ପେଗାସସ୍ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ। କିନ୍ତୁ ପେଗାସସ୍ ଉପରେ ଆଲୋଚନା କରିବାକୁ ସରକାର ମନା କରୁଛନ୍ତି। ଖାଲି ସେତିକି ନୁହେଁ ସରକାର କିଛି ଭୁଲ କରିଛନ୍ତି, ସରକାର ଏମତି କିଛି କରିଛନ୍ତି ଯାହା ଦେଶ ପାଇଁ ବିପଦଜନକ । ନଚେତ୍ ସରକାର ଆଲୋଚନା କରନ୍ତୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

 ପେଗାସସ୍ ଏବଂ କୃଷି ଆଇନ ଉପରେ ଆଲୋଚନା କରିବାକୁ ବିରୋଧୀ ଚାହୁଁଥିବା ବେଳେ ସରକାର କିନ୍ତୁ ପଛଘୁଞ୍ଚା ଦେଇଥିଲେ। ଫଳରେ ମଙ୍ଗଳବାର ଦିନ ସଂସଦ ବାରମ୍ବାର ସ୍ଥଗିତ ରହିଥିଲା। 

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସମୂହ ରିପୋର୍ଟ ପ୍ରକାଶ କରିଥିଲା ଯେ ଇସ୍ରାଏଲ କଂପାନୀ NSO ଦ୍ବାରା ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଭାରତରେ 300 ରୁ ଅଧିକ ମୋବାଇଲ୍ ନମ୍ବର ଉପରେ ନଜର ରଖାଯାଇଛି।  ଏଥିରେ ଦୁଇ ମନ୍ତ୍ରୀ, 40 ରୁ ଅଧିକ ସାମ୍ବାଦିକ, ତିନି ବିରୋଧୀ ନେତା ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟ ସାମିଲ ଥିଲେ। ଏହି ପ୍ରସଙ୍ଗରେ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ସରକାର ପ୍ରତ୍ୟାଖ୍ୟାନ କରୁଛନ୍ତି। ଏହି ମାମଲାରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ତତ୍ବାବଧାନରେ ତଦନ୍ତ କରିବା ପାଇଁ ଦାବି କରି ଆସୁଛନ୍ତି। 

Related Posts