(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ଟିକା ପରୀକ୍ଷା ତଥ୍ୟକୁ ସାର୍ବଜନୀନ ନ କରି ଟୀକାକୁ ମଞ୍ଜୁରୀ ମିଳିବା ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ୍ ତଲବ କରିଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ଏବଂ ନ୍ୟାୟମୂର୍ତ୍ତୀ ହ୍ରିଷିକେଶ ରୟଙ୍କ ଏକ ବେଞ୍ଚ ଏହି ଆବେଦନର ଶୁଣାଣି କରି କେନ୍ଦ୍ର ସରକାର, କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମ୍ଆର୍ କୁ ମଧ୍ୟ ନୋଟିସ୍ ଜାରି କରି ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାର ଶୁଣିବାବେଳେ ଟିକାକୁ ନେଇ ଲୋକମାନଙ୍କ ମନରେ ଦେଖାଦେଇଥିବା ଦ୍ବନ୍ଦ୍ବ ସମସ୍ୟାକୁ ଦର୍ଶାଇ ଆବେଦନକାରୀଙ୍କ ପକ୍ଷ ରଖୁଥିବା ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ପଚାରିଥିଲେ ଯେ ଏହି ଆବେଦନକୁ ଗ୍ରହଣ କରିବା ଦ୍ୱାରା ଟିକା ନେବା ଉପରେ ଦେଶର ଜନତାଙ୍କ ମନରେ କୌଣସି ସନ୍ଦେହ ସୃଷ୍ଟି ହେବ ନାହିଁ କି ?
ଏହାର ଉତ୍ତରରେ ଭୂଷଣ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି “ଟିକା ବିରୋଧୀ ଆବେଦନ” ନୁହେଁ କିମ୍ବା ଆବେଦନକାରୀ ଏହି ୟାଚିକା ଦାଖଲ କରି ଦେଶରେ କୋଭିଡ ଟୀକାକରଣ ବନ୍ଦ କରିବାକୁ ଚାହୁଁ ନାହାଁନ୍ତି । ସେ କହିଛନ୍ତି ଯେ ଟୀକାକୁ ପାରଦର୍ଶିତା ରହିବା ଆବଶ୍ୟକ ଏବଂ ଏ ସମ୍ପର୍କିତ ତଥ୍ୟ ପ୍ରକାଶ କରିବା ଦ୍ବାରା ସମସ୍ତ ସନ୍ଦେହ ଦୂର ହୋଇପାରିବ। COVID-19 ମହାମାରୀ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶକୁ ଅମ୍ଳଜାନ ଆବଣ୍ଟନ ଉପରେ କୋର୍ଟ ଦ୍ବାରା ଗଠିତ ନ୍ୟାସନାଲ ଟାସ୍କ ଫୋର୍ସ (ଏନଟିଏଫ) ର ସୁପାରିଶ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଯେହେତୁ NTF ଦେଶର ବିଭିନ୍ନ ସ୍ଥାନରୁ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଛି, ତେଣୁ ବର୍ତ୍ତମାନ ତଥା ନିକଟ ଭବିଷ୍ୟତରେ ଯେକୌଣସି ଆପାତକାଳୀନ ସ୍ଥିତିରେ କୌଣସି ଅସୁବିଧା ନ ହୁଏ ସେଥିପାଇଁ ପାଇଁ ନୀତିଗତ ସ୍ତରରେ ସୁପାରିଶଗୁଡିକ ଠିକ୍ ଭାବରେ କାର୍ଯ୍ୟକାରୀ ହେବ କେନ୍ଦ୍ର ପଦକ୍ଷେପ ନେବା ଜରୁରୀ ଅଟେ।
ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ ଏବଂ ଏମ୍ ଆର ଶାହାଙ୍କ ଏକ ବେଞ୍ଚ ଦୁଇ ସପ୍ତାହ ପରେ ଏହି ମାମଲାର ଶୁଣାଣି କରିବେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଚୂଡ଼ାନ୍ତ NTF ରିପୋର୍ଟ ଦାଖଲ କରାଯାଇଛି ଏବଂ ଜାତୀୟ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ଆବଶ୍ୟକତାକୁ ନେଇ ଉପ-କମିଟିର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ ଯେ ଜାତୀୟ ରାଜଧାନୀରେ COVID-19 ରୋଗୀଙ୍କ ପାଇଁ ୭୦୦ MT ମେଡିକାଲ ଅମ୍ଳଜାନ ଯୋଗାଇବା ନିର୍ଦ୍ଦେଶକୁ ପାଳନ ନକରିବାରୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କେନ୍ଦ୍ର ହାଇକୋର୍ଟ ଦେଇଥିବା ଏକ ଆବେଦନ ଉପରେ ଶୀର୍ଷ କୋର୍ଟ ଶୁଣାଣି କରିଥିଲେ। ମେ ୫ ରେ, ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ହାଇକୋର୍ଟଙ୍କ ଅବମାନନା ପ୍ରକ୍ରିୟା ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ। ଜୁନ୍ ୨୨ ରେ NTF ପରାମର୍ଶ ଦେଇଥିଲା ଯେ ପେଟ୍ରୋଲିୟମ ଉତ୍ପାଦ ପାଇଁ ବ୍ୟବହୃତ ଅକ୍ସିଜେନ ଦୁଇ ରୁ ତିନି ସପ୍ତାହ ବନ୍ଦ କରାଯିବା ଉଚିତ ।
