କଲ୍ୟାଣ ସିଂଙ୍କ ପ୍ରାର୍ଥନା ସଭାରେ ଜାତୀୟ ପତାକା ଉପରେ ବିଜେପି ପତାକା, ସମାଲୋଚନା କଲେ ବିରୋଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶ୍ରଦ୍ଧାଞ୍ଜଳି ସମାରୋହର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ ସମୟର ଏକ ଫଟୋକୁ ବିଜେପି ଟ୍ୱିଟ୍ କରିଛି। ଏହି ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ କଲ୍ୟାଣ ସିଂଙ୍କ ମୃତଦେହ ଉପରେ ଜାତୀୟ ପତାକା ଆବୃତ ହୋଇଛି, କିନ୍ତୁ ଏହାର ଅଧା ଅଂଶ ବିଜେପିର ଦଳୀୟ ପତାକା ଦ୍ୱାରା ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ଭାରତୀୟ ଜନତା ପାର୍ଟିକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ପଚାରିଛନ୍ତି, ନୂତନ ଭାରତରେ ଜାତୀୟ ପତାକା ଉପରେ ପାର୍ଟି ପତାକା ଲଗାଇବା କେତେଦୂର ଠିକ୍ ?

ସୂଚନାଯୋଗ୍ୟ ଯେ ଗତକାଲି ଲକ୍ଷ୍ନୌରେ ପହଁଚିବା ପରେ ବିଜେପିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅନ୍ତିମ ଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାବୁକ ହୋଇପଡ଼ି ଥିଲେ । କଲ୍ୟାଣ ସିଂଙ୍କ ବିୟୋଗ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ସାରା ଜୀବନ ସମାଜ ସେବାରେ ନିଜରୁ ସମର୍ପିତ କରିଥିଲେ କଲ୍ୟାଣ ସିଂ । ତାଙ୍କ ଜୀବନି ଅନ୍ୟମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।

ସୂଚନାଯୋଗ୍ୟ ଯେ ଶନିବାର ରାତିରେ ୮୯ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଜନପ୍ରିୟ ନେତା କଲ୍ୟାଣ ସିଂହ । ଗତ ଦେଢ଼ବର୍ଷ ହେବ ଏକାଧିକ ରୋଗରେ ପୀଡ଼ିତ ଥିଲେ । କଲ୍ୟାଣ ସିଂହ ବିଜେପିର ଜଣେ ବରିଷ୍ଠ ନେତା ଥିଲେ । ସେ ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି । ବାବ୍ରି ମସଜିଦ୍‌ର ଢାଞ୍ଚା ଭଙ୍ଗାଯିବା ସହ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ନାୟକ ଥିଲେ ସ୍ୱର୍ଗତ କଲ୍ୟାଣ ସିଂହ ।

Related Posts