ଓଟିଡିସି ନାଁରେ ୩ କୋଟି ଚୂନ ଲଗାଇଥିଲେ : କ୍ରାଇମବ୍ରାଞ୍ଚ EOW ହାତରେ ଧରାପଡ଼ିଲେ ଆତ୍ମଘୋଷିତ ବାବା ଓ ଇଞ୍ଜିନିୟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଉନ୍ନୟନମୂଳକ କାମ ପାଇଁ ଜାଲ୍ ୱାର୍କ ଅର୍ଡର ଦେଇ ଜଣେ ସ୍ପେସାଲ କ୍ଲାସ୍ ଠିକାଦାରଙ୍କ ଠାରୁ ୩ କୋଟି ଟଙ୍କା ଠକେଇ ମାମଲାରେ ଜଣେ ଆତ୍ମଘୋଷିତ ବାବା ଏବଂ ଜଣେ ବିଟେକ୍‌ ଇଞ୍ଜିନିୟରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)। ସେମାନେ ହେଉଛନ୍ତି କଟକ ସିଡିଏ ସେକ୍ଟର-୯ରେ ରହୁଥିବା ଆତ୍ମଘୋଷିତ ବାବା ଶ୍ରୀ ସ୍ବାମୀ ବିଜୟାନନ୍ଦ ମହାରାଜ ଓରଫ୍ ବିଜୟାନନ୍ଦ ଚୌଧୁରୀ ଏବଂ ଓଟିଡିସିର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି। 

ଶନିବାର ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ବିଜୟାନନ୍ଦଙ୍କୁ କଟକର ସିଡିଏ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଚନ୍ଦନ ଆକାଶ ମହାନ୍ତଙ୍କୁ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଓଟିଡିସି ଅଧିକାରୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏ ଦୁଇ ଜଣଙ୍କୁ ଗିରଫ କରିଛି।

ଉଭୟଙ୍କଠାରୁ ନକଲି କାଗଜପତ୍ର ସାଙ୍ଗକୁ ସିଲ୍, ବ୍ୟାଙ୍କ ପାସ୍‌ବୁକ୍ ଇଓଡବ୍ଲୁ ଜବତ କରିଛି। ତେବେ ଏହି ରାକେଟ୍‌ର ଚେର ବହୁତ୍ ଲମ୍ବା ଓ ଏକାଧିକ ବ୍ୟକ୍ତି ଏଥିରେ ସାମିଲ ଥିବା ଜଣା ପଡ଼ିଛି। ଏପରିକି ଏଥିରେ ଓଟିଡିସିର ମଧ୍ୟ କେତେକ କର୍ମଚାରୀଙ୍କ ହାତ ଥିବା ମଧ୍ୟ କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। 

ତେବେ ଏହି ଠକେଇର ଶିକାର ହୋଇଛନ୍ତି ସ୍ପେସାଲ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାୟ। ତାଙ୍କ ଅଭିଯୋଗ ଅନୁସାରେ,  ଗତବର୍ଷ କରୋନା ସମୟରେ କାମ ପାଇବାକୁ ଚାହିଁ ବସିଥିଲେ ଏହି ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର। ଏମିତି ସମୟରେ ଜଣେ ସମ୍ପର୍କୀୟ ତାଙ୍କୁ ନେଇ ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ କଟକ ସିଡିଏସ୍ଥିତ ଘରେ ନେଇ ପହଞ୍ଚାଇଥିଲେ। ତେବେ ବିଜୟାନନ୍ଦ ନିଜକୁ ଓଟିଡିସି ଅଧ୍ୟକ୍ଷ ବୋଲି ପରିଚୟ ଦେଇଥିଲେ ଏବଂ ଚମ୍ପତିରାୟଙ୍କ ଦୁଃଖ କାହାଣୀ ଶୁଣିବା ପରେ ତାଙ୍କୁ ଓଟିଡିସିରେ କାମ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତିଙ୍କୁ ସେଠାକୁ ଡକାଇଥିଲେ।ଚନ୍ଦନ ଆକାଶ ମହାନ୍ତି ପୂର୍ବରୁ ଓଟିଡିସିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଠିକାରେ ନିଯୁକ୍ତି ପାଇଥିଲେ। ସାରାରାଜ୍ୟରେ ଥିବା ଓଟିଡିସିର ପାନ୍ଥ ନିବାସ ଓ ଆଇବିର ଉନ୍ନତୀକରଣ କାର୍ଯ୍ୟ ହେବ ଏଥିପାଇଁ ପାଖାପାଖି ଦେଢ଼ ଶହ କୋଟି ଟଙ୍କାର କାମ ସେମାନେ ଧନୁର୍ଦ୍ଧରଙ୍କୁ ‌‌ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏମିତିକି କରୋନା କାଳରେ ୫ କୋଟି ଟଙ୍କାରୁ କମ୍ କାମର ଟେଣ୍ଡର ଆବଶ୍ୟକ ନାହିଁ ବୋଲି କହି ସିଧାସଳଖ କାମ କରିହେବ ବୋଲି ଦୁହେଁ ତାଙ୍କ ମନରେ ବିଶ୍ବାସ ଜନ୍ମାଇଥିଲେ। ଏଵଂ ଏଥିପାଇଁ ସେମାନେ ଆଗୁଆ ମୋଟା ଅଙ୍କର ଅର୍ଥ ଦେବାକୁ ହେବ ବୋଲି ଠିକାଦାରଙ୍କୁ ରାଜି କରାଇନେଇଥିଲେ।

ସ୍ପେସାଲ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାୟ ସେମାନଙ୍କ ଜାଲରେ ପଡ଼ିବା ପରେ ବିଜୟାନନ୍ଦ ଓ ଚନ୍ଦନ ପ୍ରଥମେ ବରକୁଳ ଓ ରମ୍ଭା ପାନ୍ଥ ନିବାସର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ କାମର ଜାଲ୍ ୱାର୍କ ଅର୍ଡର ପ୍ରସ୍ତୁତ କରିଥିଲେ। ଏହି ନକଲି ୱାର୍କ ଅର୍ଡରରେ ଓଟିଡିସି ନିର୍ବାହୀ ଯନ୍ତ୍ରୀଙ୍କ ସିଲ୍ ଓ ଦସ୍ତଖତ ମଧ୍ୟ ରହିଥିଲା।ଏମିତି କରି ଉଭୟ ଧୁନର୍ଦ୍ଧରଙ୍କଠାରୁ କୋଟିଏ ଟଙ୍କା ନେଇଯାଇଥିଲେ। ଏହିପରି ଭାବେ ୨୦୨୦ ଅଗଷ୍ଟରୁ ନଭେମ୍ବର ମାସ ଭିତରେ ସେମାନେ ତାଙ୍କଠାରୁ ୩ କୋଟି ଟଙ୍କା ନେଇଥିବା ଇଓଡବ୍ଲୁ ତଦନ୍ତବେଳେ ଜାଣିବାକୁ ପାଇଛି। ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନ ଆକାଶ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। ବାକି ଟଙ୍କା ଆତ୍ମଘୋଷିତ ବାବାଙ୍କ ଆକାଉଣ୍ଟକୁ ଯାଇଥିଲା।

କିନ୍ତୁ ଠକେଇର ଶିକାର ହୋଇଥିଲେ ଠିକାଦାର ଧନୁର୍ଦ୍ଧର ,ତାଙ୍କୁ ଆଉ କାମ ମିଳି ନ ଥିଲା। ସେ ଏହି ଓ୍ଵାର୍କ ଅର୍ଡର ଧରି ବାରମ୍ବାର ଓଟିଡିସି ଅଫିସ ଦୌଡ଼ିଥିଲେ। କିନ୍ତୁ ଓଟିଡିସି କର୍ତ୍ତୃପକ୍ଷ ଏହାକୁ ଜାଲ୍ ବୋଲି କହିବା ପରେ ଠିକାଦାରଙ୍କୁ ଶକ୍ତ ଧକ୍କା ଲାଗିଥିଲା । ଏହାପରେ ଓଟିଡିସି ଅଧିକାରୀଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ଆଇପିସିର ଧାରା-୪୧୯, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି)ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା। ଏବଂ ବିଜୟାନନ୍ଦ ଓ ଚନ୍ଦନଙ୍କୁ ଶନିବାର ଦିନ ଗିରଫ କରିଥିଲା। ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ରିମାଣ୍ଡରେ ମଧ୍ୟ ନେବାର ସମ୍ଭାବନା ରହିଛି। 

Related Posts