ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ର ନିର୍ଦ୍ଦେଶକ ମନୋଜ ପଣ୍ଡାକୁ ଗିରଫ କଲା ଇଓଡ଼ବ୍ଲ୍ୟୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫେରାର ଥିବା ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା। ଗତ କିଛି ତଳେ ମନୋଜଙ୍କ ବିରୁଦ୍ଧରେ ଇଓଡ଼ବ୍ଲ୍ୟୁ ପକ୍ଷରୁ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିଲା। ତେବେ ମନୋଜ ଆନ୍ଧ୍ରପ୍ରଦେଶରେ ଲୁଚି ରହିଥିବା ବେଳେ ତାକୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ ପକ୍ଷରୁ ସୂଚନା ମିଳିଛି ।

ଇଓଡ଼ବ୍ଲ୍ୟୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମନୋଜ ପଣ୍ଡା ଆପାର୍ଟମେଣ୍ଟ ଓ ଫ୍ଲାଟ ଦେବା ନାଁରେ ୨୦ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ଉପକଣ୍ଠ ସାମପୁର ଗଣପତି ମୌଜାରେ ଫ୍ଲାଟ ଓ ଆପାର୍ଟମେଣ୍ଟ ଦେବାକୁ କହି ମନୋଜ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ନେଇଥିଲା । ୨୦୧୩ ରୁ ୨୦୧୬ ମସିହା ମଧ୍ୟରେ ପ୍ରାୟ ୪୨ଜଣଙ୍କ ଠାରୁ ୨୦କୋଟି ଟଙ୍କା ନେଇଥିଲା ମନୋଜ । ଚୁକ୍ତି ଅନୁସାରେ ୨୦୧୮ ସୁଧା ଟଙ୍କା ଦେଇଥିବା ସମସ୍ତଙ୍କୁ ଘର ମିଳିବା କଥା ହେଲେ ଟଙ୍କା ନେବା ପରେ ଘର କିମ୍ବା ଟଙ୍କା ଫେରସ୍ତ ନକରି ମନୋଜ ଜମାକାରୀଙ୍କୁ ଭୁଆଁ ବୁଲାଉଥିଲା। ଏନେଇ ଇଓଡ଼ବ୍ଲ୍ୟୁ ନିକଟରେ ଜମାକାରୀଙ୍କ ଅଭିଯୋଗ ପରେ ମନୋଜ ପଣ୍ଡା ଫେରାର ହୋଇଯାଇଥିଲା। ଏହାପରେ ଗତ ସେପ୍ଟେମ୍ବର ୨୩ ତାରିଖରେ ମନୋଜ ବିରୁଦ୍ଧରେ ଇଓଡ଼ବ୍ଲ୍ୟୁ ଲୁକ ଆଉଟ ସର୍କୁଲାର ଜାରି କରିଥିଲା ।

ସୂଚନାଯୋଗ୍ୟ ଯେ, ଏହି ଠକେଇ ଘଟଣାରେ ପୂର୍ବରୁ ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ ସଂସ୍ଥାର ଏମ. ଡ଼ି ଅରବିନ୍ଦ ପାତ୍ରଙ୍କୁ ମଧ୍ୟ ଇଓଡ଼ବ୍ଲ୍ୟୁ ଗିରଫ କରିଥିଲା ଏହାପରେ ମନୋଜ ପଣ୍ଡା ଫେରାର ହୋଇଯାଇଥିଲା । ତେବେ ପ୍ରତି ଦୁଇ ଦିନରେ ମନୋଜ ନିଜର ସ୍ଥାନ ପରିବର୍ତ୍ତନ କରୁଥିବା ନେଇ ତଦନ୍ତ ସମୟରେ ଜଣା ପଡ଼ିଥିଲା । ସେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ସେ ଲୁଚି ରହିଥିବା ସୂଚନା ମିଳିବା ପରେ ଇଓଡ଼ବ୍ଲ୍ୟୁ ତାକୁ ଗିରଫ କରିଛି। ଗିରଫ ପରେ ଇଓଡ଼ବ୍ଲ୍ୟୁ ପକ୍ଷରୁ ମନୋଜକୁ ଟ୍ରାଞ୍ଜିଟିକ ରିମାଣ୍ଡରେ ଆଣି ଜେରା କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।

Related Posts