(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ଚାଲିଥିବା ବିଦ୍ରୋହ ଭିତରେ ବଡ ବୟାନ ଦେଇଛନ୍ତି ପ୍ରଭାରୀ ହରିଶ ରାୱତ । ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ସ୍ପଷ୍ଟ କରିଛନ୍ତି କି ଆଗାମୀ ୨୦୨୨ ବିଧାନସଭା ନିର୍ବାଚନ କ୍ୟାପଟେନଙ୍କ ନେତୃତ୍ୱରେ ଦଳ ଲଢିବ ।

ପଞ୍ଜାବ କଂଗ୍ରେସରେ ଚାଲିଥିବା ମତଭେଦ ମଧ୍ୟରେ ପଞ୍ଜାବ ସରକାରଙ୍କ ଚାରି ଏବଂ ତିନିଜଣ ବିଧାୟକ ହରିଶ ରାୱତଙ୍କୁ ଭେଟିବା ପାଇଁ ଡେହରାଡୁନରେ ପହଞ୍ଚିଛନ୍ତି। ତେବେ ଏହି ବୈଠକ ହେବା ପୂର୍ବରୁ ହରିଶ ରାୱତ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ କଂଗ୍ରେସ ଲଢିବ। ହରିଶ ରାୱତ କହିଛନ୍ତି ଯେ, ‘  ପଞ୍ଜାବରେ କଂଗ୍ରେସ ପାଖରେ ଲୋକମାନଙ୍କର ଅଭାବ ନାହିଁ ଏବଂ ନିର୍ବାଚନରେ ​​କିପରି ଜିତିବ ସେଥିପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ।କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଆମେ ୨୦୨୨ ନିର୍ବାଚନ ଲଢିବୁ। ତେବେ ଡେହରାଡୁନରେ ପହଞ୍ଚିଥିବା ପଞ୍ଜାବର ମନ୍ତ୍ରୀମାନେ ହେଲେ ତୃପ୍ତ ରାଜୀନ୍ଦର ସିଂ ବାଜୱା, ସୁଖବିନ୍ଦର ସିଂ ସାର୍କରିଆ, ସୁଖଜିନ୍ଦର ସିଂ ରନ୍ଧୱା ଏବଂ ଚରଣଜିତ ସିଂ ଚାନ୍ନି।  

ପୁରା ମାମଲା କଣ ? 

ପଞ୍ଜାବ କଂଗ୍ରେସରେ ଗତ କିଛି ମାସ ଧରି ଦେଖାଦେଇଥିବା ବିବାଦ ମଧ୍ୟରେ ଦଳ ପକ୍ଷରୁ ବହୁ ମାନସ ମନ୍ଥନ ପରେ ଶେଷରେ ନବଜୋତ୍ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ସଭାପତି କରାଯାଇଥିଲା। କିନ୍ତୁ ସଭାପତି ହେବା ପରଠାରୁ ସିଦ୍ଧୁଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି  ଇନ୍ଦିରା ଗାନ୍ଧୀଙ୍କ ଉପରେ ବିବାଦୀୟ ପୋଷ୍ଟର ପୋଷ୍ଟ କରି ଏବଂ କାଶ୍ମୀର ଉପରେ ବିବାଦୀୟ ବୟାନ ଦେଇ ଲାଇମଲାଇଟକୁ ଆସିଥିଲେ।

ଅନ୍ୟ ପକ୍ଷରେ ପଞ୍ଜାବ କଂଗ୍ରେସର କିଛି ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖି ନାହାନ୍ତି । ଏହାକୁ ନେଇ ରାୱତ କହିଛନ୍ତି କି କିଛି ଆଇନଗତ ପ୍ରକ୍ରିୟା ରହିଛି ତାହା ଶେଷ ହେଲେ ବିଧାୟକ ଓ ମନ୍ତ୍ରୀମାନେ ଯେଉଁ କଥାକୁ ନେଇ ଅଭିଯୋଗ ଆଣିଛନ୍ତି ତାହା ପୂରଣ କରାଯିବ ।