(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍‌ ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟାପନ୍ନ। ଲୋକଙ୍କ ପାଖରୁ ରୋଜଗାର ଚାଲିଯାଇଛି। କାମ ନଥିବା କାରଣରୁ ଅନେକ ପରିବାର ପୁଣି ଥରେ ଗରିବ ସୀମା ରେଖା ତଳକୁ ଚାଲି ଯାଇଛନ୍ତି। ତେବେ ସ୍ଥିତି ଏମିତି ଯେ ପରିବାର ଲୋକଙ୍କ ମୁହଁରେ ଅନ୍ନ ମୁଠାଏ ଦେବା ପାଇଁ ପିଲାଙ୍କ ସହାୟତା ନେବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ। ଫଳରେ ଆଗରୁ ସ୍କୁଲ ଆସୁଥିବା ୮ ପ୍ରତିଶତ ବିଦ୍ୟାର୍ଥୀ ସ୍କୁଲକୁ ଫେରିବେ ନାହିଁ ବୋଲି ଆଶଙ୍କା କରିଛି ୟୁନିସେଫ୍‌।

୬ ରାଜ୍ୟକୁ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ , ମହାମାରୀ ଯୋଗୁଁ ୧୪ରୁ ୧୮ ବର୍ଷ ବୟସ ମଧ୍ୟରେ ୮୦ ପ୍ରତିଶତ ବିଦ୍ୟାର୍ଥୀଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି। ପୂର୍ବରୁ ସ୍କୁଲ ଯିବା ସମୟରେ ସେମାନଙ୍କ ପରିବାରର ସ୍ଥିତି ଯାହା ଥିଲା, ବର୍ତ୍ତମାନ ଆଉ ନାହିଁ। ତେବେ ଅନୁସୂଚିତ ଜାତି-ଜନଜାତିଙ୍କ ଅବସ୍ଥା ଆହୁରି ଗମ୍ଭୀର ହୋଇଛି। ପ୍ରାୟ ୬୦ ପ୍ରତିଶତ ପ୍ରବାସୀ ଅଭିଭାବକଙ୍କ ସନ୍ତାନ, ୫୩ ପ୍ରତିଶତ ଅନୁସୂଚିତ ଜନଜାତି ପରିବାରଙ୍କ ସନ୍ତାନଙ୍କ ସ୍ଥିତି ସଙ୍ଗୀନ ବୋଲି ରିପୋର୍ଟରେ କୁହାଯାଇଛି।

ପ୍ରାୟ ୧୦ ପ୍ରତିଶତ ପରିବାର ଲୋକେ କହିଛନ୍ତି ଯେ , ସେମାନଙ୍କ ପିଲା ମାନଙ୍କୁ ସ୍କୁଲ ପଠାଇବାକୁ ତାଙ୍କ ପାଖରେ ଆଉ ସାମର୍ଥ୍ୟ ନାହିଁ। ୬ ପ୍ରତିଶତ ପରିବାର ଲୋକଙ୍କ କହିବା କଥା ହେଉଛି ଯେ , ପରିବାର ଚଳାଇବା ପାଇଁ ହେଲେ ରୋଜଗାର ଦରକାର ଏବଂ ଏଥିପାଇଁ ସେମାନଙ୍କୁ ନିଜ ପିଲାଙ୍କ ସହାୟତାର ଆବଶ୍ୟକତା ରହିଛି। ଅନେକ ଅଭିଭାବକ ଅନୁଭବ କରୁଛନ୍ତି, ସ୍କୁଲ ଗଲାବେଳକୁ ତାଙ୍କ ପିଲା ଯେଉଁ ସ୍ତରରେ ଥିଲେ ବର୍ତ୍ତମାନ ଆଉ ପୂର୍ବଭଳି ସ୍ଥିତି ନାହିଁ। ସେହିପରି ୫ରୁ ୧୩ ବର୍ଷର ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କ ମଧ୍ୟରୁ ୭୬ ପ୍ରତିଶତ, ୧୪ରୁ ୧୮ ବର୍ଷର ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ମତରେ ତାଙ୍କ ପିଲା ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ବୋଲି ଜଣାପଡିଛି।

ଶିକ୍ଷକମାନେ ମଧ୍ୟ ସମାନ କଥା କହିଛନ୍ତି। ୬୭ ପ୍ରତିଶତ ଶିକ୍ଷକଙ୍କ ମତ ହେଉଛି ଯେ, ସାମଗ୍ରିକ ଭାବରେ ବିଦ୍ୟାର୍ଥୀଙ୍କ ପାଠର ସ୍ତର ହ୍ରାସ ପାଇଛି। ମହାମାରୀ ଯୋଗୁଁ ଦେଢ ବର୍ଷ ହେଲା ସ୍କୁଲ ବନ୍ଦ ରହିଛି ତେଣୁ ପୂର୍ବରୁ ଶ୍ରେଣୀରେ ଯାହା ପଢାଯାଉଥିଲା ବର୍ତ୍ତମାନ ଅନଲାଇନରେ କ୍ଲାସ୍‌ ହେଉଛି। ବର୍ତ୍ତମାନ ସ୍ଥିତି ସୁଧୁରିବା ସହିତ ନୂଆଦିଲ୍ଲୀ, ତାମିଲନାଡ଼ୁ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଆସାମରେ ଶ୍ରେଣୀ ପାଠ ଆରମ୍ଭ ହେଲାଣି। ଆସାମ, ବିହାର, ଗୁଜରାତ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର ସମୁଦାୟ ୬୪୩୫ ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ଟେଲିଫୋନ ମାଧ୍ୟମରେ ଏହି ସର୍ଭେ କରାଯାଇଥିଲା।

ତେବେ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ୧୦ ପ୍ରତିଶତ ଛାତ୍ରଛାତ୍ରୀ ଫୋନ୍‌, କମ୍ପୁଟର୍‌ କିମ୍ବା ଲାପ୍‌ଟପ୍‌, ଟେଲିଭିଜନ କିମ୍ବା ରେଡିଓ ସହିତ ଅଭ୍ୟସ୍ତ ନାହାନ୍ତି। ୪୫ ପ୍ରତିଶତ ପିଲା କେଉଁ ଡିଭାଇସ୍‌ରେ ଅନଲାଇନ କ୍ଲାସ କରିବେ ଜାଣି ନାହାନ୍ତି। ୪୦ ପ୍ରତିଶତ ଗତ ୬ ମାସ ମଧ୍ୟରେ କୌଣସି କମ୍ପୁଟର ଉପକରଣର ବ୍ୟବହାର କରି ନାହାନ୍ତି। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ମଧ୍ୟ ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଛି, ତାହା ଚିନ୍ତାଜନକ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ୮ ପ୍ରତିଶତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବ୍ୟକ୍ତିଗତ ସ୍ମାର୍ଟଫୋନ କିମ୍ବା ଲାପ୍‌ଟପ୍‌ ନାହିଁ। ୩୩ ପ୍ରତିଶତ ଏହାର ଉପକାର ଦେଖିପାରୁ ନାହାନ୍ତି। ସେହିପରି ଛାତ୍ରଙ୍କ ତୁଳନାରେ ୮ ପ୍ରତିଶତ କମ୍‌ ଛାତ୍ରୀ ୟୁଟୁବ୍‌ରେ ପାଠ ପଢିପାରୁଛନ୍ତି। ଘରୋଇ ସ୍କୁଲ ତୁଳନାରେ ୧୦ ପ୍ରତିଶତ କମ୍‌ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଅନଲାଇନ କ୍ଲାସ କରୁଛନ୍ତି। ପ୍ରାୟ ୩୦ରୁ ୪୦ ପ୍ରତିଶତ ବିଦ୍ୟାର୍ଥୀ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହିତ ଯୋଗାଯୋଗରେ ନାହାନ୍ତି।

ସମସ୍ୟାର ସମାଧାନ ପାଇଁ ୟୁନିସେଫ୍‌ ପକ୍ଷରୁ ଦୀର୍ଘ ଏବଂ ସ୍ବଳ୍ପକାଳୀନ ପଦକ୍ଷେପ ସଂକ୍ରାନ୍ତରେ ବିଭିନ୍ନ ପ୍ରକାର ସୁପାରିସ କରାଯାଇଛି। ଏଥିମଧ୍ୟରେ ପୁସ୍ତକ ବଣ୍ଟନ, ଖୋଲା ପରିବେଶରେ ବିଦ୍ୟାର୍ଥୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଆଲୋଚନା, କମ୍ ଦରରେ ଇଣ୍ଟରନେଟ ବ୍ୟବସ୍ଥା, ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।