ରାଜ୍ୟରେ ବୈଦ୍ୟୁତିକ ମୋଟର ଯାନ ଚଳାଚଳ: ଗଠନ ହେଲା ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ଷ୍ଟିୟରିଂ କମିଟି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛିଦିନ ତଳେ ରାଜ୍ୟ ସରକାର ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ଦେଇଥିଲେ। ଏହାର ଲକ୍ଷ୍ୟ ଥିଲା ଯେ ଆସନ୍ତା ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବା। ତେବେ ଏଥିପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଓ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରିଛନ୍ତି ସରକାର । ରାଜ୍ୟ କ୍ୟାବିନେଟରେ ଏହି ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ମିଳିବା ପରେ ସେପ୍ଟେମ୍ବର ୧ତାରିଖରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇଥିଲେ ।

ବର୍ତ୍ତମାନ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧କୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି କମିଟିରେ ମୋଟ ୧୦ଜଣ ସଦସ୍ୟ ରହିଛନ୍ତି । ଅନ୍ୟପକ୍ଷରେ ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ ହୋଇଛି ଯେଉଁଥିରେ କି ୧୩ଜଣ ସଦସ୍ୟ ଅଛନ୍ତି ।

ରାଜ୍ୟ ସରକାରଙ୍କ ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବା ଲକ୍ଷ୍ୟ ହାସଲ କରିବା ପାଇଁ ଏହି ଦୁଇଟି କମିଟି ଗଠନ ହୋଇଛି। ରାଜ୍ୟସ୍ତରୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ଥିବାବେଳେ ଉପାଧ୍ୟକ୍ଷ ଭାବେ କୃଷି ଉତ୍ପାଦନ କମିଶନର, ସଦସ୍ୟ ଭାବେ ଉନ୍ନୟନ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ,ଶିଳ୍ପ ସଚିବ, ଅର୍ଥ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ଶକ୍ତି ସଚିବ ଥିବାବେଳେ ବାଣିଜ୍ୟ ଓ ପରିବହନ ସଚିବ କମିଟିର ଆବାହକ ସଦସ୍ୟ ରହିବେ।

ସେହିପରି ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟିରେ ଆବାହକ ସଦସ୍ୟ ଭାବେ ରାଜ୍ୟ ପରିବହନ କମିଶନରଙ୍କ ସମେତ ସେସୁ, ଇଡକୋ, ଓଏସଆରଟିସି, ପରିଚାଳନା ଅଧ୍ୟକ୍ଷ, ବିଦ୍ୟୁତ ଇଆଇସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ,ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ପ୍ରତିନିଧି, ଅର୍ଥ ବିଭାଗର ଯୁଗ୍ମ ସଚିବ, ନଗର ଉନ୍ନୟନ, ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ସଚିବ ଏବଂ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଏହାର ସଦସ୍ୟ ରହିବେ।

ତେବେ ସୂଚନା ଥାଉକି , ଓଡ଼ିଶାରେ ଅବଧି ଶେଷ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକୁ ରଦ୍ଦ ଓ ବୈଦ୍ୟୁତିକ ମୋଟରଯାନ କିଣିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗତ କିଛିଦିନ ତଳେ ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧’କୁ ମଞ୍ଜୁରୀ ପ୍ରଦାନ କରିଥିଲେ ।

ଏହି ପ୍ରସ୍ତାବିତ ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନୀ, ଯାନ ବ୍ୟବହାରକାରୀ ଲୋକଙ୍କୁ ଆର୍ଥିକ ରିହାତି ଦେବା ସହ ଗାଡ଼ି ପଞ୍ଜିକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ଼ କରିିବାର ପ୍ରାବଧାନ ଅଛି । ଏମଏସଏମଇ ବିଭାଗର ‘ଷ୍ଟାର୍ଟଅପ୍‌’ ପଲିସିରେ ଏହି ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ମଧ୍ୟ ହୋଇଛି ।

Related Posts