ନାରୀ ନିର୍ଯାତନା ମାମଲାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଦେଶରେ ଶୀର୍ଷରେ : ଏନ୍‌ସିଆର୍‌ବି ରିପୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏମିତି ଏକ ଚିନ୍ତା ଜନକ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଗତ କାଲି ‘ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ’ (ଏନ୍‌ସିଆର୍‌ବି) ପକ୍ଷରୁ ଜାରି ଏକ ରିପୋର୍ଟ ଅନୁସାରେ ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ନାରୀ ନିର୍ଯାତନା ହାର ୮.୩% ହ୍ରାସ ପାଇଛି। କିନ୍ତୁ ଚିନ୍ତାର କାରଣ ହେଉଛି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ମାମଲାର ବୃଦ୍ଧି ପାଇଛି।  ‘ଏନ୍‌ସିଆର୍‌ବି’ ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ଓଡ଼ିଶା ନାରୀ ନିର୍ଯାତନା ମାମଲାରେ ଶୀର୍ଷରେ ରହିଛି। ଏହି ବର୍ଷ ୨୫,୪୮୯ଟି ମାମଲା କେବଳ ମହିଳା ମାନଙ୍କୁ ଅତ୍ଯାଚାର ସମ୍ବନ୍ଧୀୟ ଥିଲା। ତେବେ ୨୦୧୯ରେ ରାଜ୍ୟରେ ପଞ୍ଜିକୃତ ନାରୀ ନିର୍ଯାତନା ମାମଲା ସଂଖ୍ୟା ୨୩,୧୮୩ ଥିବାବେଳେ ୨୦୨୦ରେ ୨୫,୪୮୯ଟି ମାମଲା ରୁଜୁ ହୋଇଥିଲା। 

ତେବେ ଚିନ୍ତା ଜନକ ବିଷୟ ହେଉଛି ‘ଇଜ୍ଜତ୍‌ ଲୁଟ୍ କରିବା ଉଦ୍ଦେଶ୍ୟରେ ନାରୀମାନଙ୍କ ଉପରେ ଆକ୍ରମଣ ମାମଲା’ ସଂଖ୍ୟା ହେଉଛି ୧୨,୬୦୬, ଅର୍ଥାତ୍‌ ୫୫.୮ ପ୍ରତିଶତ । ଏତଦ୍ ବ୍ୟତୀତ , ୨୦୨୦ରେ ମହିଳାମାନଙ୍କୁ ଉଲଗ୍ନ କରାଯାଇଥିବା ମାମଲା ସଂଖ୍ୟା ୩,୨୩୨ ବୋଲି ଏନସିଆରବି ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ ମସିହାରେ ମହିଳାଙ୍କ ଇଜ୍ଜତ୍‌ ଲୁଟ୍ ଏବଂ ନାରୀ ଅପହରଣ ମାମଲାରେରେ ଓଡ଼ିଶାର ସ୍ଥାନ ଦେଶର ତୃତୀୟ ରହିଛି।

ସେହିପରି, ୫୨୬ଟି ମାମଲା ନାରୀମାନଙ୍କ ପ୍ରତି କରାଯାଇଥିବା ସାଇବର୍ ଅପରାଧ ସହ ସମ୍ପୃକ୍ତ। ଏହାଛଡ଼ା, ୨୯୨ଟି ଯୌନଶୋଷଣ ସାମଗ୍ରୀ ପ୍ରକାଶନ କରି ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ରହିଛି। ମହିଳାଙ୍କୁ ବ୍ଲାକ୍‌ମେଲ କରିବା, ମାନହାନି କରିବା କ୍ଷେତ୍ରରେ ଓଡ଼ିଶାରେ ୨୦୨୦ରେ ୨୩୪ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୧୯ରେ ଦେଶରେ ମୋଟ ୩,୭୧,୫୦୩ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଥିବା ବେଳେ ବର୍ଷ ୨୦୨୦ରେ ଏହି ସଂଖ୍ୟା ବୃଦ୍ଧି ପାଇ ୪,୦୫,୩୨୬ ରେ ପହଞ୍ଚିଛି। ଅର୍ଥାତ୍‌ ଦେଶରେ ନାରୀ ନିର୍ଯାତନା ହାର ୮.୩% ହ୍ରାସ ପାଇଛି। ୨୦୧୯ ତୁଳନାରେ ୨୦୨୦ରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ହାର ବୃଦ୍ଧି ପାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ , ୨୦୧୯ରେ ୧୩,୩୯୫ଟି ନାରୀ ନିର୍ଯାତନା ମାମଲା ରେକର୍ଡ କରାଯାଇଥିବା ବେଳେ ୨୦୨୦ରେ ୧୦,୦୯୩ ରେକର୍ଡ ହୋଇଛି। 

Related Posts