(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ବର୍ଷ ମଧ୍ୟ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବ । ତେଣୁ ଶିକ୍ଷାନୁଷ୍ଠାନଗୁଡିକରେ ଏବେ ବିଭିନ୍ନ ରାଜନୈତିକଦଳର ଛାତ୍ର ସଂଗଠନମାନଙ୍କର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ମାନ୍ଦା ପଡିଯାଇଛି ।ଲଗାତାର ଦ୍ବିତୀୟ ବର୍ଷ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଜାରି ରହିଛି। ଏବେବି ପାଠପଢ଼ା ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। କିଛି କିଛି ସ୍ଥାନରେ ସେମିଷ୍ଟର ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ ହେଉଛି। ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ବି ଆରମ୍ଭ ହୋଇନାହିଁ। ଏସବୁ ବିଷୟକୁ ଗୁରୁତ୍ବ ଦେଇ ବିଶ୍ବବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ କରୋନା ପାଇଁ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ ଘଟିଥିବାରୁ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ପୂଜାଛୁଟି ଆସିଯାଇଥିବ । ଏତଦ୍ ବ୍ୟତୀତ ଯୁକ୍ତ ତିନି, ସ୍ନାତକୋତ୍ତର ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ଏବେବି ବହୁ ପରୀକ୍ଷା ବାକି ଅଛି । ଏପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର କ୍ୟାମ୍ପସରେ ପାଠପଢା ସବୁ ଶ୍ରେଣୀ ପାଇଁ ସ୍ୱାଭାବିକ ହୋଇନାହିଁ । ଏ ପରିପ୍ରେକ୍ଷୀରେ ଛାତ୍ର ସଂସଦ ନିର୍ବାଚନ କରାଗଲେ ପୁଣି ବିଭ୍ରାଟ ଉପୁଜିବା ସହ କୋଭିଡ କଟକଣା ଭଙ୍ଗର ଆଶଙ୍କା ରହିଥିବାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବ ବୋଲି ଜଣାପଡ଼ିଛି । ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ।

ସାଧାରଣତଃ ଖରାଛୁଟି ପରେ ପରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଖୋଲିଥାଏ ଏବଂ ଜୁନ୍‍-ଜୁଲାଇ ମାସରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ସୁଦ୍ଧା ଶେଷ ହୋଇଥାଏ । ତେଣୁ ପ୍ରାୟତଃ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ଗୋଟିଏ ଦିନରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ତେଣୁ ଶିକ୍ଷାନୁଷ୍ଠାନ ଖୋଲିବାମାତ୍ରେ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନମାନେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ର୍ନିବାଚନକୁ ଦୃଷ୍ଟିରେ ରଖି ବେଶ୍‍ ସକ୍ରିୟ ହୋଇ ଉଠିଥାନ୍ତି ।

ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟାକୁ ଆଳ କରି ସେମାନେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କରିବା ଫଳରେ ଅନେକ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥାଏ । ଏମିତିକି ନିର୍ବାଚନକୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ରକ୍ତାକ୍ତ ସଂଘର୍ଷ ମଧ୍ୟ ଘଟିଥାଏ ।

ସୂଚନା ଅନୁଯାୟୀ, ଏହାକୁ ମିଶାଇ ଲଗାତାର ଚତୁର୍ଥ ବର୍ଷ ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି। ୨୦୧୮ରେ ବାତ୍ୟା ‘ତିତିଲି’ ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଯାଇଥିଲା। ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୦ ତଥା ଗତବର୍ଷ କରୋନା ଯୋଗୁଁ କ୍ୟାମ୍ପସ ହିଁ ଆଦୌ ଖୋଲିପାରି ନ ଥିଲା। ଆଉ ଏଥର ମଧ୍ୟ ସମାନ ସ୍ଥିତି ଲାଗି ରହିଥିବାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବ।