(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି। ବହୁ ସଂଖ୍ୟାରେ ପିଲା ଏହା ଦ୍ୱାରା ପ୍ରଭାବିତ ହୋଇଛି। ବିଭିନ୍ନ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଓଡ଼ିଶା ରାଇଟ୍ ଟୁ ଏଜୁକେସନ୍ ଫୋରମ୍ ଆଣ୍ଡ୍ ସେଭ୍ ଦ ଚିଲଡ୍ରେନର ସଦ୍ୟ ପ୍ରକାଶିତ ଦ ପଜ୍ଡ କ୍ଲାସରୁମ୍ସ ପକ୍ଷରୁ କରାଯାଇଥିବା ସର୍ଭେର ରିପୋର୍ଟ ମଧ୍ୟ ଚିନ୍ତା ଜନକ । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୬ ବର୍ଷ ବୟସ ଛୁଇଁଥିବା ପିଲାଙ୍କ ଭିତରୁ ମାତ୍ର ୨୯ ପ୍ରତିଶତ ପିଲାଙ୍କର ସ୍କୁଲରେ ନାମଲେଖା ହୋଇପାରିଛି। କରୋନା ଯୋଗୁଁ ଦୀର୍ଘ ଦିନ ଧରି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବାରୁ ପିଲାମାନେ ପୂର୍ବରୁ ଯାହା କିଛି ଶିଖିଥିଲେ, ସେସବୁ ପାଷୋରି ଗଲେଣି ଅର୍ଥାତ୍ ଭୁଲିଗଲେଣି। ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଛୋଟ ପିଲାଙ୍କ ପ୍ରି-ସ୍କୁଲ ପାଠପଢ଼ାକୁ ଅଭିଭାବକ ମାନେ ମଧ୍ୟ ସେତେଟା ଗୁରୁତ୍ୱ ଦେଉନାହାନ୍ତି। ପାଖାପାଖି ୯୦ ପ୍ରତିଶତ ଶିକ୍ଷକଙ୍କ ମତ ହେଉଛି ଯେ ଅନଲାଇନ୍ ଶିକ୍ଷା ପିଲାଙ୍କ ପାଠ୍ୟକ୍ରମରେ ସେଭଳି କୌଣସି ସହାୟକ ହେଉନାହିଁ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ସେହିପରି ୟୁଟ୍ୟୁବ୍ ଶିକ୍ଷା ମଧ୍ୟ ଲାଭଦାୟକ ନୁହେଁ ବୋଲି ୮୫ ପ୍ରତିଶତ ଶିକ୍ଷକ କହିଛନ୍ତି। ଆହୁରି ଚିନ୍ତା ଜନକ ବିଷୟ ହେଉଛି ୯୨ ପ୍ରତିଶତ ଶିକ୍ଷକଙ୍କ ମତ ହେଉଛି ଯେ ଅନଲାଇନ୍ ଶିକ୍ଷା ଲାଗି ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ।
ଏହି ସର୍ଭେରେ ୭୪ ପ୍ରତିଶତ ମତଦାତା କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ପାଠପଢ଼ା ନେଇ କଣ କରାଯିବ ତାହା ବୁଝା ପଡୁ ନାହିଁ। ଗତ ଦୁଇ ବର୍ଷ ବିନା ଶ୍ରେଣୀ ଗୃହ ଶିକ୍ଷାରେ ବିତିଯାଇଛି। ଏହାଦ୍ୱାରା ପିଲାମାନଙ୍କ ମାନସିକସ୍ତରରେ ବି ପ୍ରଭାବ ପଡିଥିବା ଜଣାପଡିଛି। ତେବେ ସେଥିରୁ ମୁକୁଳିବା ଲାଗି ଛାତ୍ରଛାତ୍ରୀଙ୍କୁ ସାମାଜିକ ଓ ଅଭିଭାବକସ୍ତରରେ ସହାନୁଭୂତି ଓ ସମର୍ଥନ ମିଳିବା ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି। ସୂଚନାଯୋଗ୍ୟ, କରୋନା ଯୋଗୁ ସ୍କୁଲ ବନ୍ଦ ରହିଛି ଏବଂ ପିଲାମାନେ ଅନଲାଇନରେ ପାଠ ପଢ଼ୁଛନ୍ତି। ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ଶିଶୁମାନଙ୍କର ଶିକ୍ଷା ପ୍ରଭାବିତ ହୋଇଛି।
