ମନ୍ତ୍ରୀ ଅରୁଣ ବାବୁ କିଛି କୁହନ୍ତୁ – ଓଡ଼ିଶାର ଚାଷୀ ଦେଶରେ ସବୁଠୁ ଗରିବ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଚାଷୀ ହେଉଛନ୍ତି ସବୁ ରାଜନୈତିକ ଦଳ ଗୁଡିକର ଏକ ପ୍ରମୁଖ ରାଜନୈତିକ ମୁଦ୍ଦା। ଓଡ଼ିଶାରେ ଦୀର୍ଘ ୨୧ ବର୍ଷର ସ୍ଥିର ସରକାର ସତ୍ତ୍ୱେ କୃଷି ଓ କୃଷକ ଉଭୟ ନିମ୍ନ ସ୍ତରରେ। ଚାଷୀଙ୍କ ନାଁରେ ଅନେକ ଯୋଜନା ହେଉଛି। ତଥାପି ବି ଓଡିଶାର ଚାଷୀ ସମଗ୍ର ଦେଶରେ ସବୁଠାରୁ ଗରିବ। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ବଜେଟ ଆଣୁଛନ୍ତି। ବିଭିନ୍ନ ସମୟରେ କିଛି କିଛି ପ୍ୟାକେଜ ମଧ୍ୟ ଘୋଷଣା କରୁଛନ୍ତି। କିନ୍ତୁ ଫଳ ମିଳୁନି ଚାଷୀର ସ୍ଥିତି ସୁଧୁରିବା ତ ଦୂରର କଥା ଓଡ଼ିଶାର ଚାଷୀ ଅନ୍ୟ ରାଜ୍ୟଗୁଡ଼ିକର ଚାଷୀଙ୍କ ତୁଳନାରେ ଗରିବ ହୋଇ ରହିଛନ୍ତି। ଏହା କୌଣସି ମନଗଢ଼ା କଥା ନୁହେଁ ଏହି ତଥ୍ୟ ଖୋଦ୍‌ ସରକାରୀ ସର୍ବେକ୍ଷଣରୁ ସାମ୍ନାକୁ ଆସିଛି। 

ଚଳିତ ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ୨ଟି ସର୍ଭେ ରିପୋର୍ଟରୁ ଗୋଟିଏ ହେଉଛି ଚାଷୀ ମାନଙ୍କ ପରିବାରର ସମ୍ପତ୍ତି ଏବଂ ସେମାନଙ୍କ ମାସିକ ରୋଜଗାର ସମ୍ପର୍କିତ ତଥ୍ୟ ଏବେ ସାମ୍ନାକୁ ଆସିଛି। ନ୍ୟାସନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେଶନ (ଏନ୍‌ଏସ୍‌ଏସ୍‌ଓ) ଦ୍ୱାରା ସର୍ବଭାରତୀୟ ସ୍ତରରେ ଋଣ ଓ ପୁଞ୍ଜି ନିବେଶ ସର୍ଭେ-୨୦୧୯ ଏବଂ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ୍‌ (ଏନ୍‌ଏସ୍‌ଓ) ପକ୍ଷରୁ ଗ୍ରାମାଞ୍ଚଳ କୃଷକ ପରିବାରର ସ୍ଥିତି, ଭୂମି ଏବଂ ପ୍ରାଣୀଧନ ଆକଳନ-୨୦୧୯ ରିପୋର୍ଟ ସାମ୍ନାକୁ ଆସିଛି। 

ତେବେ ଏଠାରେ ସୂଚନାଯୋଗ୍ୟ ଯେ ଏହି ଦୁଇଟି ସର୍ଭେ ୨୦୧୯ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ କରାଯାଇଥିଲା। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ୨୦୧୩ରେ ଏଭିଏ ୫ ଲକ୍ଷ ୭୧ ହଜାର ଟଙ୍କା ଥିବାବେଳେ ୨୦୧୮ ଜୁନ୍‌ ୩୦ ସୁଦ୍ଧା ଓଡ଼ିଶାର କୃଷକ ପରିବାରର ହାରାହାରି ସମ୍ପତ୍ତି ମୂଲ୍ୟ ୬ ଲକ୍ଷ ୨୧ ହଜାର ଟଙ୍କା ଥିଲା। ତେବେ ଏହି ସର୍ଭେ ରିପୋର୍ଟରୁ ଜଣାପଡୁଛି ଯେ ପ୍ରାୟ ୬ ବର୍ଷ ମଧ୍ୟ ଚାଷୀଙ୍କ ସମ୍ପତ୍ତିରେ ସେମିତି କିଛି ଆଖିଦୃଶିଆ ବୃଦ୍ଧି ହୋଇ ନାହିଁ। ଅର୍ଥାତ୍ ଏ ରିପୋର୍ଟ ଦର୍ଶାଉଛି ଯେ , ଚାଷିଙ୍କ ଆୟ ଆଶାତୀତ ବୃଦ୍ଧି ଘଟି ନାହିଁ। 

ତେବେ ଓଡ଼ିିଶାର ଗ୍ରାମୀଣ ଚାଷୀମାନଙ୍କର ସ୍ଥିତି ଆହୁରି ଶୋଚନୀୟ। ସର୍ଭେ ରିପୋର୍ଟ କହୁଛି ଯେ, ଗ୍ରାମୀଣ ଚାଷୀଙ୍କ ଏଭିଏ ୫ ଲକ୍ଷ ୨୩ ହଜାର ଟଙ୍କା ରହିଥିବାବେଳେ ସହରାଞ୍ଚଳ ଚାଷୀଙ୍କ ଏଭିଏ ୧୩ ଲକ୍ଷ ୪୧ ହଜାର ଟଙ୍କା ରହିଛି।

ଓଡ଼ିଶାର ଗ୍ରାମାଞ୍ଚଳର କୃଷକ ହେଉଛନ୍ତି ଦେଶର ସବୁଠାରୁ ଗରିବ କୃଷକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଓଡିଶାକୁ ବାଦ୍ ଦେଇ ଅନ୍ୟ ରାଜ୍ୟ ଗୁଡ଼ିକର ଗ୍ରାମାଞ୍ଚଳ ଚାଷୀଙ୍କ ସ୍ଥିତି ଦେଖିଲେ ଜଣାପଡୁଛି ଯେ , ଆସାମ ଚାଷୀମାନଙ୍କ ଏଭିଏ ୭ ଲକ୍ଷ ଟଙ୍କା , ଝାଡ଼ଖଣ୍ଡର ୮ ଲକ୍ଷ ୬୦ ହଜାର, ଛତିଶଗଡ଼ ୮ ଲକ୍ଷ ୯୦ ହଜାର ଏବଂ ପଶ୍ଚିମବଙ୍ଗର ଚାଷୀଙ୍କ ଏଭିଏ ୭ ଲକ୍ଷ ୮୯ ହଜାର ଟଙ୍କା ରହିଛି। 

ବର୍ତ୍ତମାନ ଆସିବା ଚାଷୀଙ୍କ ମାସିକ ଆୟ କଣ ରହିଛି?  ଏନ୍‌ଏସ୍‌ଓ ପକ୍ଷରୁ ହୋଇଥିବା ସର୍ଭେରେ ଚାଷୀମାନଙ୍କ ମାସିକ ରୋଜଗାର ସମ୍ପର୍କରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଝାଡ଼ଖଣ୍ଡ ଚାଷୀଙ୍କର ମାସିକ ଆୟ ୪,୮୯୫ ଟଙ୍କା , ଯାହାକି ଦେଶରେ ସର୍ବନିମ୍ନ। ଏବଂ ଏହାପରେ ଆସୁଛନ୍ତି ଓଡ଼ିଶାର ଚାଷୀ। ଓଡ଼ିଶାର କୃଷକଙ୍କ ମାସିକ ଆୟ ୫ ହଜାର ୧୧୨ ଟଙ୍କା ବୋଲି ରିପୋର୍ଟରେ ଦର୍ଶାଯାଇଛି। 

ସରକାର ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଥିବା ବେଳେ ସେମାନଙ୍କୁ ଡାଇରେକ୍ଟ ଆର୍ଥତ୍କ ସହାୟତା ଯୋଗାଇ ଦେବା ପାଇଁ କାଳିଆ ଯୋଜନା କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨ ହଜାର ଟଙ୍କା ପଠାଉଛନ୍ତି ରାଜ୍ୟ ସରକାର।  ଏଥିପାଇଁ ୨୦୧୯ ଜାନୁୟାରୀ ସୁଦ୍ଧା ରାଜ୍ୟ ସରକାର ପ୍ରାୟ ୯ ହଜାର କୋଟି ଟଙ୍କା ଖର୍ଚ୍ଚ କଲେଣି। 

୨୦୨୧-୨୨ରେ ରାଜ୍ୟ ସରକାର କୃଷି ବଜେଟରେ ୧୭,୪୬୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ୨୦୧୨-୧୩ କୃଷି ବଜେଟ (୫୬୨୭ କୋଟି) ତୁଳନାରେ ପ୍ରାୟ ତିନିଗୁଣ ଅଧିକ । କେବଳ ଏତିକି ନୁହେଁ ସରକାର ଚାଷୀଙ୍କ ବିକାଶ ପାଇଁ କୃଷି ନୀତି-୨୦୧୯ ‘ସମୃଦ୍ଧି ’ ଲାଗୁ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ବଳରାମ ଭଳି କେତେକ ଯୋଜନା ହାତକୁ ନେଇଛନ୍ତି। ଚାଷୀମାନଙ୍କୁ ସହାୟତା ଦେବାକୁ କୃଷି ଋଣ ପରିମାଣକୁ ୨୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କଲେଣି। ତଥାପି ବି ଚାଷୀଙ୍କ ଆୟ ଓ ସମ୍ପତ୍ତି ସେହି ପରିମାଣରେ ବୃଦ୍ଧି ହେଉନାହିଁ ଯାହାର ଆଶା କରାଯାଉଛି । 

ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କୁହନ୍ତି ଯେ , ସରକାର ଯେତିକି ଯୋଜନା କରୁଛନ୍ତି ତାହା ଏକ ରିଲିଫ୍‌ ଉଦ୍ଦେଶ୍ୟରେ ହେଉଛି। ଚାଷୀଙ୍କୁ କିଛି ଦେଇ ସନ୍ତୁଷ୍ଟ କରିଦେବାରେ ସରକାର ସୀମିତ ରହୁଛନ୍ତି ବୋଲି ସେ କହିଛନ୍ତି । ଚାଷୀ ମାନେ କେମିତି ସ୍ୱାବଲମ୍ବୀ ହେବେ ସେ ନେଇ କୌଣସି ଯୋଜନା ହେଉ ନାହିଁ। 

ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ମଧ୍ୟ ସରକାରଙ୍କୁ କାଠ ଗଡାରେ ଛିଡ଼ା କରିଛନ୍ତି। ସେ କହିଛନ୍ତି ଯେ , ଓଡ଼ିଶାର ଚାଷୀ ଦେଶରେ ସବୁଠାରୁ ଗରିବ। ୬୧ ପ୍ରତିଶତ ଚାଷୀ ଋଣଗ୍ରସ୍ତ। ମେଘାଳୟଠାରୁ ମଧ୍ୟ ଆମ ରାଜ୍ୟ ଚାଷୀ ଗରିବ। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଜଳସେଚନ ସୁବିଧା ହୋଇପାରିଲା ନାହିଁ। ଚାଷୀ ବର୍ଷାକୁ ଚାହିଁ ମରୁଡ଼ିର ସମ୍ମୁଖୀନ ହେଉଛି । ଯଦି ସରକାର ଠିକ୍‌ ଢଙ୍ଗରେ ଯୋଜନା କରିଥାନ୍ତେ ତେବେ ଓଡ଼ିଶା ଦେଶରେ ୧ ନମ୍ବର ରାଜ୍ୟ ହୋଇ ପାରିଥାଆନ୍ତା। ଚାଷୀ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ପାଉନି। ଶୀତଳଭଣ୍ଡାର ନ ଥିବାରୁ ଚାଷୀ ରାସ୍ତାରେ ପନିପରିବା, ଧାନ ଶାଗ ମାଛ ଦରରେ ବିକ୍ରୀ କରୁଛନ୍ତି ନଚେତ୍ ରାସ୍ତାରେ ଢାଳି ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଏମ୍‌ଏସ୍‌ପି ପାଇଲେ କୃଷକଙ୍କ ଆୟ ବୃଦ୍ଧି ହୁଅନ୍ତା ବୋଲି ସେ କହିଛନ୍ତି। 

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଚାଷୀ ଧାନ କୁଇଣ୍ଟାଲ ପିଛା ୨୩୪୪ ଟଙ୍କା ଖର୍ଚ୍ଚ କରୁଥିବାବେଳେ ପାଉଛି ମାତ୍ର ୧୯୦୦ ଟଙ୍କା । ଅର୍ଥାତ୍‌ ଚାଷୀ କ୍ଷତି ସହିବାକୁ ବାଧ୍ୟ ହେଉଛି। ରାଜ୍ୟରେ ଆଖୁଚାଷ ଠପ୍ ପଡିଛି । ରାଜ୍ୟ ସରକାର ଯେତେ ଯୋଜନା କଲେ ବି ତାହା ପ୍ରଚାରସର୍ବସ୍ବ ହୋଇଯାଉଛି। ଏହା ଏକ ଚାଷୀ ବିରୋଧୀ ସରକାର। କେନ୍ଦ୍ର ସରକାର ଚାଷୀ ବିରୋଧୀ ଆଇନ ଆଣିଥିବାବେଳେ ସେହି ଢଙ୍ଗରେ ରାଜ୍ୟ ସରକାର ମଧ୍ୟ ଏକ ବିଲ୍‌ ଆଣିଛନ୍ତି। ଚାଷୀ ଚାଷ ଛାଡ଼ିବାକୁ ଆରମ୍ଭ କଲେଣି। ବୋଲି ସେ କହିଛନ୍ତି 

ତେବେ ଏ ସମ୍ପର୍କରେ କୃଷି ମନ୍ତ୍ରୀ ଅରୁଣ ସାହୁ ଚିରାଚରିତ ଢଙ୍ଗରେ କହିଛନ୍ତି ଯେ , ଚାଷ ଓ ଚାଷୀଙ୍କର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଚାଷୀମାନଙ୍କ ରୋଜଗାର ଓ ଦକ୍ଷତା ବୃଦ୍ଧି ସହ ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ଅର୍ଥନୈତିକ ଅଭିବୃଦ୍ଧି, ପରିବେଶ ଅନୁକୂଳ ପାଇଁ କୃଷି ନୀତି ‘ସମୃଦ୍ଧି’ କାର୍ଯ୍ୟକାରୀ କରାଯାଉଛି। 

Related Posts