୨୦୨୨ ନୁହେଁ ଚଳିତ ବର୍ଷ ହିଁ ମହିଳା ମାନେ ଏନଡିଏ ପରୀକ୍ଷାରେ ସାମିଲ୍ ହେବେ : ସୁପ୍ରିମକୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଆଗାମୀ ବର୍ଷ ନୁହେଁ ଚଳିତ ବର୍ଷ ହିଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏ ପରୀକ୍ଷାରେ ମହିଳାଙ୍କୁ ଅନୁମତି ଦେବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଏନଡିଏରେ ମହିଳାଙ୍କୁ ପରୀକ୍ଷା ସୁଯୋଗ ଦେବା ପ୍ରକ୍ରିୟା ଚଳିତବର୍ଷ ସ୍ଥଗିତ ରଖିବା ଲାଗି କେନ୍ଦ୍ର କରିଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ବର୍ଷ ମେ ମାସରେ ଏନଡିଏ ପରୀକ୍ଷାରେ ମହିଳାଙ୍କୁ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରିନାହାନ୍ତି । ଲିଙ୍ଗଗତ ସମାନତାକୁ ସ୍ଥଗିତ ରଖାଯାଇ ପାରିବ ନାହିଁ। ମହିଳା ମାନଙ୍କୁ ଚଳିତ ବର୍ଷ ହିଁ ଏହି ପରୀକ୍ଷାରେ ସାମିଲ କରାଇବା ପାଇଁ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

କୋର୍ଟ ଆସନ୍ତା ନଭେମ୍ବର ୧୪ରେ ଏହି ପରୀକ୍ଷା କରିବା ଲାଗି ବିଜ୍ଞପ୍ତି ଜାରି କରିବା ଲାଗି କେନ୍ଦ୍ର ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟାଳୟ କହିଛନ୍ତି ଯେ, ମହିଳାମାନେ ଯଦି ୨୦୨୨ ମେ ମାସରେ ପରୀକ୍ଷା ଦେବେ ତେବେ ସେମାନଙ୍କୁ ଗ୍ରହଣ କରିବା ପ୍ରକ୍ରିୟା ଜୁନ ୨୦୨୩ରେ ଆରମ୍ଭ ହେବ । ଗୋଟିଏ ବର୍ଷ ପାଇଁ ଏହାକୁ ସ୍ଥଗିତ କରିହେବ ନାହିଁ। ଡାକ୍ତରୀ ମାନକକୁ ପରୀକ୍ଷାମୂଳକ ଭାବରେ ସୂଚିତ କରାଯିବା ଉଚିତ୍। UPSC ନଭେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ସଂଶୋଧିତ ବିଜ୍ଞପ୍ତି ଜାରି କରୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି କରି ଜଷ୍ଟିସ୍‌ ଏସ୍‌କେ କୌଲ କହିଛନ୍ତି ଯେ, ଆମେ ଏହି ପ୍ରକ୍ରିୟାରେ ବିଳମ୍ବ କରିବାକୁ ଚାହୁଁ ନାହୁଁ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡିସିନାଲ୍ ସଲିସିଟର ଜେନେରାଲ କୋର୍ଟଙ୍କୁ ୬ ମାସ ସମୟ ମାଗିଥିଲେ ମଧ୍ୟ କୋର୍ଟ ଏହାକୁ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏନଡିଏ ଓ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି ଦେବା ଲାଗି କିଛି ଦିନ ପୂର୍ବରୁ ସହମତି ପ୍ରକାଶ କରିଥିଲେ ସେନା, ନୌସେନା, ବାୟୁ ସେନା ମୁଖ୍ୟ । ଏହାକୁ ଦୃଷ୍ଟିରେ ରଖି ଲିଙ୍ଗଗତ ସମାନତାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ। 

Related Posts