ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ‘ ରାଜ୍ୟରେ ଆଉ ୧୭୪ଟି ଟିକାକରଣ କେନ୍ଦ୍ର ଖୋଲିଛି ‘

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ମହାମାରୀ ସହ ଲଢ଼ିବା ପାଇଁ ଏକ ମାତ୍ର ଅସ୍ତ୍ର ହେଉଛି ଟିକାକରଣ । ଏ ସମ୍ପର୍କରେ ବୈଜ୍ଞାନିକ, ବିଶେଷଜ୍ଞ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକାକରଣ ମାତ୍ରା ବୃଦ୍ଧି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶାରେ ମଧ୍ୟ ଟୀକାକରଣ ମାତ୍ରା ଵୃଦ୍ଧି କରିବା ପାଇଁ ଟିକାକେନ୍ଦ୍ର ସଂଖ୍ୟା ବଢ଼ାଇଦିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ପୂର୍ବରୁ ୧୬ଶହ କେନ୍ଦ୍ରରେ ଟିକାକରଣ ଚାଲିଥିଲା ଏବେ ଏହି ସଂଖ୍ୟାକୁ ବୃଦ୍ଧି କରି ୧୭୭୪ କରାଯାଇଛି। ଦୈନିକ ୪ଲକ୍ଷ ଟିକାକରଣ ଲକ୍ଷ ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରାଯିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ସରକାର ଫୋକସ କରୁଛନ୍ତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। 

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨କୋଟି ୮୩ଲକ୍ଷ ୨୯ ହଜାର ୩୯୬ଡୋଜ ଟିକାକରଣ ଶେଷ ହୋଇଛି। ତେବେ ୨୦୭୯୫୫୧୪ ଜଣ ଲୋକ ପ୍ରଥମ ଡୋଜ ନେଇଛନ୍ତି ଓ  ୭୫୩୩୮୮୨ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି । ତେବେ ଏଯାବତ୍ ୧୬୦୭୭୫ ଗର୍ଭବତୀ ମହିଳା ଟିକା ନେଇ ସାରିଥିବା ସହ ଏବେ ୨୦ଲକ୍ଷ ୫୧ହଜାର ୬ଶହ ଟିକା ମହଜୁଦ୍ ଅଛି। ସେଥି ମଧ୍ୟରୁ ୧୮ଲକ୍ଷ ୬୭ ହଜାର ୪୭୦ କୋଭିସିଲଡ ଏବଂ ୧ ଲକ୍ଷ ୮୪ ହଜାର ୧୩୦ କୋଭାକ୍ସିନ ଟିକା ମହଜୁଦ୍ ରହିଥିବା ସୂଚନା ମିଳିଛି। 

Related Posts