ବିରୋଧୀଙ୍କୁ ଚକିତ କଲେ ମୋଦୀ ସରକାର । ଓବିସି କୋଟାକୁ ନେଇ ଓଡିଶାରେ ଶାସକ-ବିରୋଧୀ ମଧ୍ୟରେ ଯୁକ୍ତି ଚାଲିଥିବା ବେଳେ, ଏହାରି ମଧ୍ୟରେ କେନ୍ଦ୍ର ସରକାର ଡିସେମ୍ବର ୧୫ ରାୟର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ପଂଚାୟତ ଓ ପୌର ନିର୍ବାଚନରେ ଓବିସିଙ୍କୁ ବାଦ୍ ଦେଇ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏପରିକି ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଆସନକୁ ସାଧାରଣ ବର୍ଗ କରି ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଓବିସି କୋଟା ପ୍ରସଙ୍ଗରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାରଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ହେଲେ ଏହାଦ୍ୱାରା ଦେଶର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପ୍ରତି ଅନ୍ୟାୟ ହେବ କହି ସୁପ୍ରିମକୋର୍ଟ ଯାଇଛନ୍ତି କେନ୍ଦ୍ର ସରକାର । ନିର୍ବାଚନରେ ପଛୁଆ ବର୍ଗର ପ୍ରତିନିଧିତ୍ୱ ନରହିଲେ ସେମାନଙ୍କ ଆକାଂକ୍ଷା ପୂରଣ ଦିଗରେ ସମସ୍ୟା ସୃଷ୍ଟି ହେବ ବୋଲି କେନ୍ଦ୍ର ଯୁକ୍ତି ବାଢିଛି । ତେଣୁ ଅନୁନ୍ୟ ୪ ମାସ ପାଇଁ ନିର୍ବାଚନକୁ ଘୁଂଚାଇ ଦେବାକୁ ନିର୍ଦ୍ଦେଶ ପାଇଁ ଆବେଦନରେ କୁହାଯାଇଛି । ପୂର୍ବରୁ ପଂଚାୟତ ନିର୍ବାଚନ ସ୍ଥଗିତ ରଖିବା ପାଇଁ ମଧ୍ୟପ୍ରଦେଶ କ୍ୟାବିନେଟ୍ ପ୍ରସ୍ତାବ ପାରିତ କରିଥିଲା ।
