ସତ୍ୟପାଠ 27/12 ଭୁବନେଶ୍ବର: ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି। ମାଞ୍ଜା ସୂତା ତିଆରି କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ କଟକ ଅଞ୍ଚଳରେ ଏକ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି । ଏହି ଘଟଣାରେ ଦୋଷୀ ଥିବା ଅଭିଯୁକ୍ତକୁ ଗିରଫ କରାଯିବାକୁ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି । କହିରଖୁ ଯେ, ଗତ ରବିବାର ଦିନ କଟକ ଜିଲ୍ଲା ଜଗତପୁର ପୀରବଜାର ଅଞ୍ଚଳରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିଲା । ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ୍ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ବଶୁର ଘରକୁ ଯାଉଥିଲେ । ପୀରବଜାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।





