ସାରା ବିଶ୍ବରେ କରୋନା ଉତ୍ପାତ ମଚାଇଥିବା ବେଳେ, ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି | ଏହାରି ଭିତରେ ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଆମେରିକା। ସୋମବାର ଦିନ ୧.୧୩ ନିୟୁତ ନୂଆ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ମାମଲା ବିଶ୍ବର ସବୁ ଦେଶ ତୁଳନାର ସର୍ବାଧିକ। ପୂର୍ବ ରେକର୍ଡ ଅନୁଯାୟୀ ଜାନୁଆରୀ ୩ରେ ୧.୦୩ ନିୟୁତ ମାମଲା ରିପୋର୍ଟ ହୋଇଥିଲା।

ଅନ୍ୟପଟେ ଭାରତରେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୬୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୬୮୦୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୭୭ ଛୁଇଁଛି ।

ଏବେସୁଦ୍ଧା ଦେଶରେ ୩୫୮୭୫୭୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୧୪୪୬ ସକ୍ରିୟ ମାମଲା ରହିଛି ଏବଂ ୩୪୫୭୦୧୩୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୪୨୧୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।