ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ପରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ରାଜନୈତିକ ଦଳମାନଙ୍କରେ ଅସ୍ଥିିରତା ଦେଖାଦେଇଛି । କିଏ ସଠିକ ସାମ୍ମାନ ମିଳୁ ନାହିଁ କହି ଦଳ ଛାଡ଼ୁଛି ତ ଆଉ କିଏ ଦଳରେ ଅଣଦେଖା କରାଯାଉଛି କହି ଅନ୍ୟ ଦଳ ସହ ମିଶୁଛନ୍ତି । ଏହା ମଧ୍ୟରେ ପୂର୍ବତନ ବିଜେପି ନେତା ହରକ ସିଂହ ଯାଦବ ବେଶ ଚର୍ଚ୍ଚାରେ ରହିଛନ୍ତି । କାହିଁକିନା ବିଜେପି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ତାଙ୍କୁ ମନ୍ତ୍ରିମଣ୍ଡଳାରୁ ବରଖାସ୍ତ କରିଛନ୍ତି । ସେପଟେ ହରକ ସିଂ ରାୱତଙ୍କୁ ବିଜେପିରୁ ବହିଷ୍କାର କରାଯିବା ପରେ ବର୍ତ୍ତମାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି।
ଯଦି ହରାକ ସିଂ ରାୱତ କଂଗ୍ରେସ ଛାଡିବାର ଭୁଲ୍ ସ୍ୱୀକାର କରନ୍ତି, ତେବେ ଆମେ ତାଙ୍କୁ ଦଳରେ ସ୍ୱାଗତ କରିବାକୁ ପ୍ରସ୍ତୁତ ବୋଲି ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି । ଅନ୍ୟପଟେ ହରକ ଏପର୍ଯ୍ୟନ୍ତ କଂଗ୍ରେସରେ ଯୋଗ ଦେଇନାହାନ୍ତି । ଅନେକ ପ୍ରସଙ୍ଗ ଉପରେ ବିଚାର କରିବା ପରେ ଦଳ ନିଷ୍ପତ୍ତି ନେବ। ହରାକ ସିଂ ରାୱତଙ୍କ କଂଗ୍ରେସରେ ଯୋଗଦେବା ଖବର ବର୍ତ୍ତମାନ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହେଲେ ଏହା ମଧ୍ୟରେ ହରିଶ ରାୱତଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଫଳରେ ହରାକ ସିଂ ରାୱତ ତାଙ୍କ ଭୁଲକୁ ଗ୍ରହଣ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
