ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଅରଣାଚଳ ପ୍ରଦେଶରୁ ଅପହୃତ ହୋଇଥିବାର ତରୁଣଙ୍କୁ ଭାରତୀୟ ସେନାକୁ ଚୀନ ହସ୍ତନ୍ତର କରିଛି । ଏ ଖବର ସାମ୍ନାକୁ ଆସିବାପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କାହିଁକିନା ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲା ଅନ୍ତର୍ଗତ ଲୁଙ୍ଗଟା ଜୋର ଅଞ୍ଚଳର ୧୭ ବର୍ଷିୟ ମିରାମ୍ ତାରୋନ୍ ହଠାତ ନିରୁଦ୍ଦିଷ୍ଟ ହୋଇଯାଇଥିଲେ । ଏନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଚାଲିଥିଲା । ଶେଷରେ ଜଣାପଡ଼ିଥିଲା ଚୀନର ପିପୁଲ୍ସ୍ ଲିବରେସନ୍ ଆର୍ମି’ ଭାରତୀୟ ସୀମାକୁ ପଶି ତାଙ୍କୁ ଅପହରଣ କରିଥିଲେ । ସେପଟେ ଜାନୁଆରି ୧୮ ତାରିଖ ତରୁଣଙ୍କୁ ଅପହରଣ କରାଯାଇଥିଲା । ଅପହରଣ ନେଇ ଅରୁଣାଚଳ ସାଂସଦ ତାପିର ଗାଓ ଅଭିଯୋଗ କରିଥିଲେ । ସାଂସଦ ଜଣକ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ତେବେ ସୂଚନା ପାଇବାକ୍ଷଣି ଭାରତୀୟ ସେନା ଅବିଳମ୍ବେ ହଟ୍ଲାଇନ୍ ଯୋଗେ ‘ପିଏଲ୍ଏ’ ଜରିଆରେ ଯୋଗଯୋଗ କରି ଜଣାଇଥିଲେ କି, ଚେରମୂଳି ଏବଂ ଶିକାର କରୁଥିବା ତରୁଣଟିଏ ବାଟବଣା ହୋଇଯାଇଛି। ତା’ର ସନ୍ଧାନ ମିଳୁନାହିଁ। ଚୀନ୍ ପାର୍ଶ୍ବ ଅଞ୍ଚଳରେ ତାକୁ ଖୋଜାଖୋଜି କରି ଠାବ କରିବା ପାଇଁ ‘ପିଏଲ୍ଏ’ର ସାହାଯ୍ୟ ଲୋଡ଼ାଯାଇଥିଲା।ନିରୁଦ୍ଦିଷ୍ଟ ହୋଇଯାଇଥିବା ଅରୁଣାଚଳ ପ୍ରଦେଶର ତରୁଣଙ୍କୁ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ପାଇଥିବା କଥା ୨୩ ତାରିଖ ଦିନ ଭାରତୀୟ ସେନା କହିଥିଲା। ଏ ସଂକ୍ରାନ୍ତରେ ତେଜପୁର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ହର୍ଷବର୍ଦ୍ଧନ ପାଣ୍ଡେ ଦେଇଥିବା ବିବୃତିରେ କହିଥିଲେ, ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ତରୁଣକୁ ସେମାନେ ପାଇଛନ୍ତି ଏବଂ ବିହିତ ପ୍ରକ୍ରିୟା ଚାଲିଛି ବୋଲି ଚୀନ୍ ସେନା ଆମକୁ ଜଣାଇଛି।