କମିଲା ସଂକ୍ରମଣ: ମୁମ୍ବାଇରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ଦେଶରେ ଏବେ ସଂକ୍ରମଣ ହାର ତଳମୁହାଁ ରହିଛି | ସେପଟେ ମୁମ୍ବାଇରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି | ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାର କୋଭିଡ କଟକଣାକୁ କୋହଳ କରିଛନ୍ତି । ବର୍ତ୍ତମାନ ସଂକ୍ରମଣ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାରୁ କଟକଣାକୁ କୋହଳ କରାଯାଇଥିବା କହିଛନ୍ତି ମହାରାଷ୍ଟ୍ର ସରକାର | ସେହି କ୍ରମରେ ମୁମ୍ବାଇ ସହରରେ ଜାରି ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁକୁ ହଟାଯାଇଛି । ପୂର୍ବରୁ ରାତି 11 ଟାରୁ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିଲେ ମହାରାଷ୍ଟ୍ର ସରକାର ।

ସେହିପରି ଅନ୍ୟ ସ୍ଥାନମାନଙ୍କରେ ଜାରି ରହିଥିବା କଟକଣାରେ ମଧ୍ୟ ସଂଶୋଧିତ କରାଯାଇ ହ୍ରାସ କରାଯାଇଛି । ରେସ୍ତୋରାଁ, ପ୍ରେକ୍ଷାଳୟ, ସୁଇମିଂ ପୁଲ୍ ଏବଂ ୱାଟର ପାର୍କଗୁଡିକ ବର୍ତ୍ତମାନ 50 ପ୍ରତିଶତ କ୍ଷମତା ସହିତ ଖୋଲା ରହିପାରିବ । ସେହିପରି ସର୍ବସାଧାରଣ ସ୍ଥାନ ଯଥା ବେଳାଭୂମି, ପାର୍କ ଓ ସାଧାରଣ ପର୍ଯ୍ୟଟନସ୍ଥଳୀଗୁଡିକରେ ସ୍ବାଭାବିକ ଭାବେ ଦର୍ଶକମାନେ ପରିଭ୍ରମଣ କରିପାରିବେ ।ସହରରେ ହେବାକୁ ଥିବା ବିବାହ ଉତ୍ସବରେ ଆୟୋଜନ ସ୍ଥାନର 25 ପ୍ରତିଶତ ପର୍ଯ୍ୟନ୍ତ ଅତିଥିମାନଙ୍କୁ ଏକତ୍ରୀତ ହେବାକୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଅନ୍ୟ ସମସ୍ତ ସ୍ଥାନୀୟ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଆୟୋଜିତ ସ୍ଥାନର ଅଧା କ୍ଷମତା ସହିତ ଅନୁମତି ଦିଆଯାଇଛି । ସବୁଠି କୋଭିଡ ପ୍ରୋଟୋକଲ ତଥା ଫେସମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି ।

Related Posts