ସରକାରୀ କର୍ମଚାରୀଙ୍କ ଖାମଖିଆଲ ନୀତି ପାଇଁ ଭୋଟର ତାଲିକାରୁ ବାଦ ପଡ଼ିଲେ ୧୦୧ ଜଣ ଭୋଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବେହେରାବନ୍ଧ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସରକାରୀ ଅଧିକାରୀମାନଙ୍କ ଖାମଖିଆଲ ନୀତି ଯୋଗୁଁ ୧୦୧ ଜଣ ଗ୍ରାମବାସୀ ଭୋଟ ଦେବା ଭଳି ମୌଳିକ ଅଧିକାରର ବଞ୍ଚିତ ହୋଇଛନ୍ତି । ଇ ଓ୍ବାର୍ଡ ବିଶିଷ୍ଟ ଏହି ଗାଁରେ ସମୁଦାୟ ୪୫୬ ଭୋଟର ରହିଥିଲେ ମଧ୍ୟ ଚଳିତ ନିର୍ବାଚନ ଭୋଟର ତାଲିକାରେ ୧୦୧ ଜଣଙ୍କ ନାମ ବାଦ ପଡି କେବଳ ୩୫୫ଜଣଙ୍କ ନାମ ତାଲିକାରେ ରହିଛି । ଏହା ଜଣାପଡିବା ମାତ୍ରେ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣି ପଡିଛି । ଅନ୍ୟପଟେ ଅସନ୍ତୁଷ୍ଟ ଗ୍ରାମବାସୀ ସ୍ଥାନୀୟ ଉପ ଜିଲ୍ଲାପାଳ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ସେମାନଙ୍କର ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ବାଦ ପଡିଥିବା ୧୦୧ ଭୋଟର ଯଦି ମତଦାନରୁ ବଂଚିତ ହେବେ ତାହେଲେ କୌଣସି ଗ୍ରାମବାସୀ ଭୋଟ୍ ନ ଦେଇ ଭୋଟ୍ ବର୍ଜନ କରିବେ ବୋଲି ଲିଖିତ ଭାବରେ ଜଣାଇଥିବା ଜଣାଯାଇଛି ।

ଗ୍ରାମବାସୀଙ୍କ କୌଣସି ଭୁଲ ନଥିବା ବେଳେ ସରକାରୀ ଅଧିକାରୀମାନଙ୍କ ଖାମଖିଆଲ ନୀତି ଯୋଗୁଁ ଭୋଟ୍ ଦେବା ଭଳି ମୌଳିକ ଅଧିକାରରୁ ବଂଚିତ ହୋଇଥିବା ଦର୍ଶାଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏ ସଂକ୍ରାନ୍ତରେ ଗ୍ରାମର ମହିଳାମାନଙ୍କ ନେତୃତ୍ବରେ ଗାଁ ମଣ୍ଡପଠାରେ ଗ୍ରାମବାସୀ ଏକ ସଭା କରି ନିଷ୍ପତ୍ତି ନେଇଛନ୍ତି । ବାଦ ପଡିଥିବା ୧୦୧ ଭୋଟର ଯଦି ମତଦାନରୁ ବଂଚିତ ହେବେ ତା ହେଲେ କୌଣସି ଗ୍ରାମବାସୀ ଭୋଟ୍ ନ ଦେଇ ଭୋଟ୍ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Related Posts