ବ୍ରଜରାଜନଗର ଉପନିର୍ବାଚନ: ୨୭୯ ବୁଥରେ ମତଦାନ କରିବେ ୨.୧୪ ଲକ୍ଷ ମତଦାତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ ଆଜି ରାଜନୈତିକ ଦଳଗୁଡ଼ିକର ପ୍ରଚାର ଶେଷ ହଉଥିବା ବେଳେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ମେ’ ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ପୋଲି ପାର୍ଟି ଗୁଡ଼ିକ ସେମାନଙ୍କର ନିର୍ଦ୍ଧାରିତ ବୁଥ୍‌ରେ ପହଞ୍ଚି‌ବେ। ବୁୁଥ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମତଦାନ ପୂର୍ବରୁ ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ ସୁଶୀଲ କୁମାର ଲୋହାନୀ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ମୋଟ ୨୭୯ଟି ବୁଥର ବ୍ୟବସ୍ଥା କରାଯାଇଛି।

ଏହି ବୁଥ୍‌ଗୁଡ଼ିକରେ ମୋଟ ୨ ଲକ୍ଷ ୧୪ ହଜାର ଭୋଟର୍‌ ମତଦାନ କରିବେ। ଏଥର ୨୨ଟି ନୂଆ ବୁଥ୍‌ କରାଯାଇଛି। ମୋଟ ୬୦ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି। ୫୦ ପ୍ରତିଶତ ବୁଥରେ ମତଦାନ ବେଳେ ୱେବ କାଷ୍ଟିଂ ଜରିଆରେ ହେବ। ଶ୍ରୀ ଲୋହାନୀ କହିଛନ୍ତି ଯେ, ୩୦ଟି ମଡେଲ ବୁଥ୍‌ ଓ ୫ଟି ପିଙ୍କ୍‌ ବୁଥ୍‌ କରାଯାଉଛି। ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମେ’ ୩୧ ତାରିଖ ପୂର୍ବାହ୍ନ ୭ଟାରୁ ମତଦାନ ଆରମ୍ଭ ହେବ। ଏହା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ମତଦାନର ଗଣତି ଓ ନିର୍ବାଚନ ଫଳାଫଳ ଜୁନ୍‌ ୩ ତାରିଖରେ ପ୍ରକାଶ ପାଇବ।

Related Posts