ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଚଳିତ ଥର ନିର୍ବାଚନରେ ରାଜ୍ୟରେ ଅନେକ ସ୍ଥାନମାନଙ୍କରେ ହିଂସା ମଧ୍ୟ ଦେଖାଦେଇଥିଲା । ଏପରିକି କିଛି ସ୍ଥାନମାନଙ୍କରେ ହିଂସା ଯୋଗୁଁ ମତଦାନକୁ ସ୍ଥଗିତ ରଖାଯାଇଥିଲା । ଏହା ମଧ୍ୟରେ ଭୋଟ ଗଣତି ଓ ଫଳାଫଳର ସ୍ୱଚ୍ଛତା ଉପରେ ସନ୍ଦେହ ବଢ଼ୁଛି ବୋଲି ଭାରତୀୟ ଜନତା ପାର୍ଟି ସ୍ପଷ୍ଟ କରିଛି । ତେବେ ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ହିଂସାକାଣ୍ଡ ଓ ବ୍ୟାପକ ବୁଥ ରିଗିଂ ସହ ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ଜିତିବା ପାଇଁ ପ୍ରୟାସ ଚଳାଇଛି । ଅନ୍ୟପଟେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଭୋଟବାକ୍ସ ରହୁଥିବା ଷ୍ଟ୍ରଙ୍ଗ ରୁମକୁ ସିଲ କରିବା ବେଳେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଡିଓମାନେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତି ପାଇଁ ବାରଣ କରୁଛନ୍ତି ।
ଭିନ୍ନ ଭିନ୍ନ ତାରିଖରେ ଭୋଟ ଗଣତି ହେବାକୁ ଥିବାବେଳେ ସେହି କ୍ରମରେ ଭୋଟବାକ୍ସ ଗୁଡ଼ିକ ରଖାଯାଇନାହିଁ । ଗଣତି ପରେ ଭୋଟ ବାକ୍ସ ଗୁଡ଼ିକ ଅସ୍ଥାୟୀଭାବେ ସିଲ କରି ପୁନଶ୍ଚ ସେହି ରୁମରେ ରଖିବା ନେଇ ବିଡିଓଙ୍କ ନିଷ୍ପତ୍ତି ଯୋଗୁଁ ଗଣତି ଓ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ସହ ଷ୍ଟ୍ରଙ୍ଗ ରୁମର ପାଶ୍ୱର୍ବର୍ତ୍ତୀ ରୁମରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ଜ୍ଞାତସାରରେ କେତେଜଣ ସାଦା ପୋଷାକଧାରୀ ଲୋକ ନିଜକୁ ପୁଲିସର ପରିଚୟ ଦେଇ ଅବସ୍ଥାନ କରୁଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ପଚରାଯିବାରୁ ବିଡଓ ଭୁଲ ତଥ୍ୟ ଦେଇଥିବା ସ୍ପ୍ମୃୀକରଣ ଦେଇଛନ୍ତି । ସେପଟେ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ଉକ୍ତ ବିଡିଓଙ୍କୁ ମୁକ୍ତ କରିବା ପାଇଁ କମିଶନଙ୍କ ନିକଟରେ ଭାରତୀୟ ଜନତା ପାର୍ଟି ଦାବି କରିଛି ।





