ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଅଡ଼ୁଆ ବଢିବାକୁ ଲାଗିଛି | ଫଳରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ସରକାର | ଭାରତୀୟ ଶିକ୍ଷାର୍ଥୀ ଓ ନାଗରିକଙ୍କୁ ବିକଳ୍ପ ବାଟରରେ ସ୍ୱଦେଶ ଆଣିବାକୁ ଯୋଜନା କରିଛନ୍ତି ସରକାର |
ହଙ୍ଗେରୀ ଓ ରୋମାନିଆ ଦେଇ ସେମାନେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ଶହଶହ ଭାରତୀୟ ସୀମାନ୍ତ ଅଞ୍ଚଳକୁ ସଡ଼କ ପଥରେ ଯିବାରେ ଲାଗିଛନ୍ତି। ଗୋଟିଏ ପଟେ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ସଡ଼କ ପଥରେ ଭାରତୀୟମାନେ ସୀମାନ୍ତ ଅଞ୍ଚଳକୁ ଯିବା ନୂଆ ବିପଦ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ସୀମାନ୍ତ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।
ୟୁକ୍ରେନର କିଭ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏ ସଂକ୍ରାନ୍ତରେ ଗୋଟିଏ ସତର୍କ ସୂଚନା ବା ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ୟୁକ୍ରେନରେ ଥିବା ଭାରତୀୟମାନେ ସରକାରୀ ଅଧିକାରୀଙ୍କ ବିନା ଯୋଗାଯୋଗରେ କୌଣସି ସୀମାନ୍ତ ଅଞ୍ଚଳକୁ ଯିବେ ନାହିଁ ବୋଲି କୁହଯାଇଛି।
ଅନ୍ୟପଟେ ନାଗରିକଙ୍କୁ ରୋମାନିଆ ଏବଂ ହଙ୍ଗେରି ସୀମା ଦେଇ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟଙ୍କୁ ସ୍ବଦେଶ ଫେରାଇବା ଲାଗି ଶୁକ୍ରବାର ଏବଂ ଆଜି(ଶନିବାର) ରୋମାନିଆ ରାଜଧାନୀ ବୁକାରେଷ୍ଟକୁ ୩ଟି ବିମାନ ଉଡାଣ ଭରିଥିବାବେଳେ ହଙ୍ଗେରି ରାଜଧାନୀ ବୁଦାପେଷ୍ଟ ଅଭିମୁଖେ ଗୋଟିଏ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଛି ।
ଯାହା ସୂଚନା ରହିଛି, ୟୁକ୍ରେନର ପଶ୍ଚିମ ବର୍ଡର ଦେଇ ବିମାନ ଯୋଗେ ଭାରତୀୟଙ୍କୁ ଉଦ୍ଧାର କରାଯିବ । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ସମସ୍ୟା ନ ହୁଏ ତାହା ସୁନିଶ୍ଚିତ କରିଛନ୍ତି ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଭାରତୀୟଙ୍କ ସୁରକ୍ଷା ଦିଗରେ ଋଷ ସୈନ୍ୟବାହିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୁଟିନ ମୋଦିଙ୍କୁ ଆଶ୍ବସନା ଦେଇଛନ୍ତି | ଭାରତୀୟ ଦୂତବାସ ୟୁକ୍ରେନରେ ଭାରତୀୟଙ୍କୁ ସହଯୋଗ କରିବା ପାଇଁ ୨୪ ଘଣ୍ଟା କାମ କରୁଛି ବୋଲି ଦୂତବାସ ପକ୍ଷରୁ କୁହାଯାଇଛି |





