ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଭୟାବହ ସ୍ଥିତି ଉପୁଜିଛି । ଏନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ ଯୁଦ୍ଧ ଫଳରେ ବିଶ୍ୱର ଅର୍ଥନୀତି ଉପରେ ମଧ୍ୟ ବେଶ ପ୍ରଭାବ ପକାଇଛି । ଏହା ମଧ୍ୟରେ ଆରଏସଏସର ଜାତୀୟ କାର୍ୟ୍ୟନିର୍ବାହୀ ସଦସ୍ୟ ଇନ୍ଦ୍ରଶ କୁମାର ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଅନ୍ୟ ଦେଶମାନଙ୍କ ସହିତ ମିଶି ଭାରତ ମିଶି ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପକାଇବା ଆବଶ୍ୟକ ବୋଲି କହିଛନ୍ତି । ଆରଏସ୍ଏସ୍ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ‘ଭାରତ ଶାନ୍ତି ଚାହେଁ’ ଶୀର୍ଷକରେ ଏକ ବାର୍ତ୍ତା ଦେଇ ସେ ଏପରି କହିଛନ୍ତି । ଏହା ସହ ଯୁଦ୍ଧ କୌଣସି ସମସ୍ୟାର ସମାଧାନର ବାଟ ନୁହେଁ । ବରଂ ଯୁଦ୍ଧ ଯୋଗୁ ମାନବର ବହୁତ ବଡ କ୍ଷତି ଘଟିବ। ବହୁ ନୀରିହ ଜୀବନ ଯିବ । ଲକ୍ଷ ଲକ୍ଷ ଲୋକ ଘରଦ୍ୱାର ହରାଇବେ । କୋଟି କୋଟି ଟଙ୍କାର କ୍ଷତି ଘଟିବ ।
ତେଣୁ ବିଶ୍ୱ ନେତା, ବିଭିନ୍ନ ଦେଶର ସରକାର, କୂଟନୀତିଜ୍ଞ, ପ୍ରତିରକ୍ଷା ବିଶେଷଜ୍ଞ, ବୈଜ୍ଞାନିକ ଓ ସିଭିଲ ସୋସାଇଟିର ପ୍ରତିନିଧିମାନେ ସମସ୍ତେ ପୁଟିନଙ୍କ ଉପରେ ଚାପ ପକାଇବା ଆବଶ୍ୟକ। ଯାହାଫଳରେ ସେ ଯୁଦ୍ଧ ବନ୍ଦ କରି ଆପୋସ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିବେ । ଯୁଦ୍ଧ ଉନ୍ମାଦନା ସୃଷ୍ଟି ହେଲା ଭଳି କୌଣସି କାର୍ଯ୍ୟ କରାଯିବା ଉଚିତ ନୁହେଁ। ଯୁଦ୍ଧର ଭୟାବହତା ଓ ପରିଣାମ ଅସହ୍ୟନୀୟ ଓ କଷ୍ଟଦାୟକ ବୋଲି ସେ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରୀୟ ମୁସଲିମ ମଞ୍ଚ ଓ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମଞ୍ଚର ମୁଖ୍ୟ ପୃଷ୍ଠପୋଷକ ଥିବା କୁମାର ମଧ୍ୟ ପୁଟିନକୁ ତୁରନ୍ତ ଯୁଦ୍ଧ ବନ୍ଦ କରି ଆଲୋଚନା ବୈଠକକୁ ଆସିବା ଲାଗି ପରାମର୍ଶ ଦେବାକୁ ବିଶ୍ୱର ଉଭୟ ମୁସଲିମ ଓ ଖ୍ରୀଷ୍ଟିଆନ ନେତାମାନଙ୍କୁ ନିବେଦନ କରିଛନ୍ତି ।
