ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବିଜୁଳି ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିବାବେଳେ ବିଜୁଳି ବୃଦ୍ଧିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆବଣ୍ଟନକାରୀ ସଂସ୍ଥା । ତେବେ ୨୦୨୨-୨୩ ବର୍ଷରେ ବିଦ୍ୟୁତ ଉପଭୋକ୍ତାଙ୍କ ଲାଗି ବିଜୁଳି ଦର ବୃଦ୍ଧି କରାନଯାଉ । ହେଲେ ଆୟୋଗ ଏମିତି ରାସ୍ତା କାଢ଼ନ୍ତୁ, ଯେଉଁଥିରେ ଶିଳ୍ପସଂସ୍ଥା ରିହାତି ଦରରେ ବିଜୁଳି ପାଇବେ । ଆବଣ୍ଟନକାରୀ ସଂସ୍ଥା କ୍ଷତି ସହିବେ ନାହିଁ । ସର୍ବୋପରି ଓଡ଼ିଶାରେ ଶସ୍ତା ବିଜୁଳି ମିଳିବ ବୋଲି ଆବଣ୍ଟନକାରୀ ସଂସ୍ଥା ଟିପିଡ୍ଲ୍ୟୁଓଡିଏଲ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ପ୍ରସ୍ତାବ ରଖିଛି । ସେପଟେ ଶକ୍ତି ବିଭାଗ ଆବଣ୍ଟନକାରୀ କମ୍ପାନୀଙ୍କ ଏନର୍ଜି ଅଡିଟ ଉପରେ ଜୋର ଦେଇଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆଜି ଆପତ୍ତିକାରୀମାନେ ସିଧା ସିଧା ଆୟୋଗଙ୍କୁ ସମାଲୋଚନା କରି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛନ୍ତି । ଆହୁରି ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ଯେ ବିଦ୍ୟୁତ ଉପଭୋକ୍ତାଙ୍କ ବିରୋଧରେ ରାଜ୍ୟରେ ଗୋଟିଏ ମିଳିତ ଷଡ଼ଯନ୍ତ୍ର ଚାଲିଛି । ଏସବୁକୁ ନେଇ ୨୦୨୨-୨୩ ବର୍ଷ ଲାଗି ବିଦ୍ୟୁତ ଦର ନିର୍ଦ୍ଧାରଣ ଜନଶୁଣାଣିର ପଞ୍ଚମ ଓ ଷଷ୍ଠ ବୈଠକ ବେଶ ସରଗରମ ହୋଇଛି । ପୂର୍ବରୁ ଶକ୍ତି ବିଭାଗ ଯାହା କହିଥିଲା । ଆଜି ଆବଣ୍ଟନକାରୀ କମ୍ପାନୀ ଦୋହରାଇ ବିଦ୍ୟୁତ ଦର ବୃଦ୍ଧି କରାନଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ।

ଏଥିସହ ଶୁଣାଣିରେ ଭାଗ ନେଇଥିବା ସରକାରୀ ସଂସ୍ଥା ଓ କମ୍ପାନୀ ଧିରେ ଧିରେ ମାନୁଛନ୍ତି ଯେ ବିଦ୍ୟୁତ ଦର ନିର୍ଦ୍ଧାରଣ ପ୍ରକ୍ରିିୟା ତ୍ରୁଟିଶୂନ୍ୟ ନାହିଁ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ପକ୍ଷରୁ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ର ଆଜି ଆବଣ୍ଟନକାରୀ ସଂସ୍ଥା ଟିପିଡ୍ଲ୍ୟୁଓଡିଏଲ ଏବଂ ଟିପିଏନଓଡିଏଲ ଆବେଦନ ଉପରେ ଜନଶୁଣାଣି କରିଥିଲେ । ଆୟୋଗଙ୍କ ଦ୍ୱାରା ନିଯୁକ୍ତ ୱାର୍ଲଡ ଇନଷ୍ଟିଚ୍ୟୁଟ ଅଫ ସଷ୍ଟେନବଲ ଏନର୍ଜି ପୁନେ ଆବେଦନର ତର୍ଜମା କରିଥିଲେ । ଭର୍ଚୁଆଲ ହୋଇଥିବା ଏହି ଶୁଣାଣିରେ ଭାଗ ନେଇ ଆତ୍ତିକାରୀ ତଥା ଶକ୍ତି ବିଶେଷଜ୍ଞ ପ୍ରଶାନ୍ତ କୁମାର ପ୍ରଧାନ ଟିପିଡ୍ଲ୍ୟଓଡିଏଲ ବିନିଯୋଗ କରିଥିବା ମାନବସମ୍ବଳ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ଏହି କମ୍ପାନୀରେ ୭ ହଜାର ଠିକା କର୍ମଚାରୀ ରହିଛନ୍ତି । ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏମାନଙ୍କୁ କେବଳ ସୁପରଭାଇଜ କରିବାକୁ ୪ ଶହ କର୍ମଚାରୀ ଅଛନ୍ତି ଅଛନ୍ତି । ସେମାନେ କିଛି କାମ କରୁନାହାନ୍ତି । ଏପଟେ କର୍ମଚାରୀଙ୍କ ବାବଦ ଖର୍ଚ୍ଚ ବଢ଼ିବଢ଼ି ଚାଲିଛି । ଯାହାର ବୋଛ ଉପଭୋକ୍ତା ବୋହୁଛନ୍ତି ।

ଠିକା କର୍ମଚାରୀଙ୍କୁ ନିୟମିତ କରି ଯେତିକି ଆବଶ୍ୟକ ସେତିକି ରଖନ୍ତୁ । ବେଦାନ୍ତ କ୍ଷେତ୍ରରେ ଓଇଆରସି ଦେଇଥିବା ରାୟକୁ ନେଇ ଶ୍ରୀ ପ୍ରଧାନ କମିଶନଙ୍କ ଉପରେ ଅସନ୍ତୋଷ ଛାଡ଼ି କହିଥିଲେ ଯେ ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟ ବୋଲି ଓଡ଼ିଶାକୁ କୁହାଯାଉଛି । ହେଲେ ରାଜ୍ୟ ଭିତରେ ଥିବା ସଂସ୍ଥାମାନେ ୭ ହଜାର ନିୟୁତ ୟୁନିଟ ବିଜୁଳି ବାହାରୁ କିଣିଛନ୍ତି । ଅର୍ଥାତ ଏହି ବିଜୁଳି ଯଦି ଗ୍ରିଡକୋ ଜରିଆରେ କିଣିଥାନ୍ତେ ତାହାଲେ ରାଜ୍ୟ ବଳକା ନୁହେଁ ବରଂ ଓଡ଼ିଶାରେ ନିଅଣ୍ଟ୍ରିା ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ରାଜ୍ୟ ଯେଉଁଠି ବଳକା ନୁହେଁ, ସେଠାରେ ଏହି ବଳକା ପ୍ରସଙ୍ଗକୁ ନେଇ ପ୍ରକାଶ ପାଇଥିବା ରାୟ ମଧ୍ୟ ବୈଧ ନୁହେଁ । ୨୦୨୧ରେ ବେଦାନ୍ତ ସପକ୍ଷରେ ଯାଇଥିବା ରାୟର କମିଶନ ପୁନଃବିଚାର କରନ୍ତୁ । ଏଭଳି ଏକ ନିର୍ଦ୍ଦେଶନାମା ଜାରି କରନ୍ତୁ । ଯାହାଫଳରେ କମିଶନ ଅବସର ନେବା ପରେ ମଧ୍ୟ ଏକ ଜନସ୍ୱାର୍ଥ ବିରୋଧୀ ନିର୍ଦ୍ଦେଶନାମା ପାଇଁ ତାଙ୍କ ମନରେ ଅବସୋସ ରହିବନି ।