ମରିଯିବୁ ପଛେ ଶତ୍ରୁପକ୍ଷ କବଳରୁ ଦେଶକୁ ରକ୍ଷା କରିବୁ । ରୁଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଥିବା ଯୁଦ୍ଧ ଦିନକୁ ଦିନ ସାଙ୍ଘାତିକ ସ୍ଥିତି ଆଡ଼କୁ ଗତି କରୁଛି । ଏଥିସହ କିଛି ଖବର ହୃଦୟ ବିଦାରକ । ଜଣେ ୟୁକ୍ରେନ ଯବାନ ଦେଶକୁ ରକ୍ଷା କରିବା ପାଇଁ ପ୍ରାଣ ବଳି ଦେଇଛନ୍ତି । ରୁଷ ଟ୍ୟାଙ୍କକୁ ଅଟକାଇବା ପାଇଁ ସେ ଗୋଟିଏ ବ୍ରିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଏହି ବିସ୍ଫୋରଣରେ ସେ ନିଜେ ମଧ୍ୟ ପ୍ରାଣ ହରାଇଛନ୍ତି। ରୁଷ ଦଖଲରେ ଥିବେ କ୍ରିମେଆରୁ ଟ୍ୟାଙ୍କଗୁଡ଼ିକ ୟୁକ୍ରେନର ମେନଲ୍ୟାଣ୍ତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା।
ଏଗୁଡ଼ିକୁ ଅଟକାଇବା ପାଇଁ ଯବାନ ଜଣଙ୍କ ଏହି ଦୁଇ ସ୍ଥାନକୁ ସଂଯୋଗ କରୁଥିବା ବ୍ରିଜ୍କୁ ଉଡ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ତାଙ୍କୁ ପ୍ରାଣବଳି ଦେବାକୁ ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମାରିନ ବାଟାଲିୟନ ଇଞ୍ଜିନିୟର ଭିଟାଲୟ ସାକାକୁନ ଭି ୟୁକ୍ରେନର ଦକ୍ଷିଣ ପ୍ରାନ୍ତରେ ଥିବା ଖେରସନ ପ୍ରଦେଶ ଅନ୍ତର୍ଗତ ହେନିଚେସ୍କ ବ୍ରିଜ ଉପରେ ମୁତୟନ ହୋଇଥିଲେ। ଏହି ସମୟରେ ରୁଷର ଏକାଧିକ ଟ୍ୟାଙ୍କ ବ୍ରିଜ୍ ଦେଇ ୟୁକ୍ରେନରେ ପଶିବାକୁ ଚେଷ୍ଟା କରିଥିଲେ।
ସେମାନଙ୍କୁ ରୋକିବା ପାଇଁ ଭିଟାଲୟ ନିଜ ସହ ବ୍ରିଜ୍କୁ ଉଡ଼ାଇ ଦେଇଥିଲେ। ଯାହା ଫଳରେ ଟ୍ୟାଙ୍କଗୁଡ଼ିକ ଆଗକୁ ଆସି ପାରି ନଥିଲା ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଜେନେରାଲ ଷ୍ଟଫ ଅଫ ଦି ଆର୍ମଡ ଫୋର୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରୁଷ ଟ୍ୟାଙ୍କଗୁଡ଼ିକୁ ରୋକିବା ପାଇଁ କୌଣସି ଉପାୟନ ଥିବାରୁ ସେନା ବାହିନୀ ବ୍ରିଜ୍ ଉଡ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଭିଟାଲୟ ନିଜ ଆଡ଼ୁ ବ୍ରିଜକୁ ବିସ୍ଫୋରଣରେ ଉଡ଼ାଇବାକୁ ଆଗ୍ରହ ପ୍ରକାଶ କରିଥିଲେ।ସେ ଭଲ ଭାବେ ଜାଣିଥିଲେ ଯେ ବ୍ରିଜ୍କୁ ଉଡ଼ାଇବା ବେଳେ କିଛି ବି ଘଟିପାରେ। ତଥାପି ସେ ବୀରତାର ସହ ବ୍ରିଜ୍ ଉଡ଼ାଇବା କାମ କରିଥିଲେ। ଯେଉଁଥିରେ ତାଙ୍କ ଜୀବନ ମଧ୍ୟ ଯାଇଛି। ତାଙ୍କ ବଳିଦାନକୁ ସବୁବେଳେ ଦେଶ ମନେ ରଖିବ। ତାଙ୍କ ବଳିଦାନ ପାଇଁ ୟୁକ୍ରେନ ଆର୍ମି ରୁଷର ମୁକାବିଲା ପାଇଁ ଅଧିକ ସମୟ ପାଇବାକୁ ସକ୍ଷମ ହୋଇଥିଲା ବୋଲି ଏଥିରେ କୁହାଯାଇଛି।





