ଯୁକ୍ରେନ ଲାଗି ସହାୟତା ଘୋଷଣା କଲେ ଆମେରିକା ଓ ବ୍ରିଟେନ

ୱାସିଂଟନ : ଋଷ ଓ ଯୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଓ ବ୍ରିଟେନ ୟୁକ୍ରେନ କୁ ଲଗାତାର ଭାବେ ସହାୟତା ଘୋଷଣା କରି ଆସୁଥିବା ବେଳେ, ଏବେ ଆମେରିକା ୪୦ କୋଟି ଡଲାରର ସହାୟତା ପ୍ୟାକେଜ୍ ଘୋଷଣା କରିଛି। ହ୍ୱାଇଟ୍ ହାଉସ୍ ବୁଧବାର ଏହି ସୂଚନା ଦେଇଛନ୍ତି।

ଫେବୃଆରୀ ୨୪ ତାରିଖ ଦିନ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରଠାରୁ ଆମେରିକା ଏପର୍ଯ୍ୟନ୍ତ ୟୁକ୍ରେନକୁ ୧୯ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ରକ୍ଷା ଉପକରଣ ସହାୟତା କରିଛି। ଯେଉଁଥିରେ ଆମେରିକାର ଏହି ନୂଆ ସହାୟତା ପ୍ୟାକେଜ୍ ମଧ୍ୟ ରହିଛି।

ଇତି ମଧ୍ୟରେ ବ୍ରିଟେନ ମଧ୍ୟ ୟୁକ୍ରେନ ଲାଗି ସହାୟତା ପ୍ୟାକେଜ୍ ଘୋଷଣା କରିଛି। ଯେଉଁଥିରେ ଅତିରିକ୍ତ ୧୦ ହଜାର ତୋପ ଗୋଳା ସାମିଲ ହେବ। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ ବେନ ୱେଲେସ୍ ବୁଧବାର ନରୱେ ଯାତ୍ରା ଅବସରରେ ଏହି ଘୋଷଣା କରିଛନ୍ତି। ଅତିରିକ୍ତ ଗୋଳା ୟୁକ୍ରେନର ପ୍ରତିରକ୍ଷା କ୍ଷମତା ବଢାଇବ ବୋଲି ବ୍ରିଟେନ କହିଛି।

ଏହା ଛଡା ବ୍ରିଟେନ ତଲାସ ଓ ଉଦ୍ଧାର ଅଭିଯାନ ନିମନ୍ତେ ୟୁକ୍ରେନକୁ ସିକିଙ୍ଗ ହେଲିକପ୍ଟର ମଧ୍ୟ ପଠାଇବ। ୱେଲେସ୍ କହିଛନ୍ତି ଯେ ୟୁକ୍ରେନ ଲାଗି ଆମର ଅତୁଟ ସମର୍ଥନ ରହିଛି। ଅତିରିକ୍ତ ତୋପ ଗୋଳା ଯୋଗୁ ୟୁକ୍ରେନ ନିକଟରେ ଋଷିଆ କବଳରୁ ମୁକ୍ତ କରାଇଥିବା ଭୂମିର ସୁରକ୍ଷା କରିପାରିବ। ନିକଟରେ ସୈନ୍ୟ ସହାୟତାରେ ୟୁକ୍ରେନକୁ ବ୍ରିଟେନ ଲେଜର ଗାଇଡେଡ୍ ବ୍ରିମଷ୍ଟୋନ କ୍ଷେପଣାସ୍ତ୍ରର ଅପଡେଟ୍ ମଡେଲ ପଠାଇଥିଲା।

ଋଷିୟ ସେନାଙ୍କୁ ପଛକୁ ଘୁଞ୍ଚାଇବାକୁ ରୟାଲ ଏୟାରଫୋର୍ସ ଦ୍ୱାରା ଦିଆଯାଉଥିବା ବ୍ରିମଷ୍ଟୋନ କ୍ଷେପଣାସ୍ତ୍ର ଯୋଗାଣର ଫୁଟେଜ ଏବେ ସାମ୍ନାକୁ ଆସିଛି। ୟୁକ୍ରେନ ଉପରେ ଋଷିଆର ବଢୁଥିବା ଇରାନ ନିର୍ମିତ ଶାହିଦ-୧୩୬ ଡ୍ରୋନ ଆକ୍ରମଣରେ ବ୍ରିମଷ୍ଟୋନ-୨ କ୍ଷେପଣାସ୍ତ୍ର ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ବ୍ରିଟେନ ପ୍ରାୟ ୬ ମାସ ପୂର୍ବେ ୟୁକ୍ରେନକୁ ବ୍ରିମଷ୍ଟୋନ-୨ କ୍ଷେପଣାସ୍ତ୍ର ଦେଇଥିଲା। ୟୁକ୍ରେନ ଏହି କ୍ଷେପଣାସ୍ତ୍ରରେ ଋଷିଆର ସେନା ଓ ଅସ୍ତ୍ରଶସ୍ତ୍ରର ବ୍ୟାପକ କ୍ଷୟକ୍ଷତି କରିଥିଲା

Related Posts