ଋଷ ଆକ୍ରମଣ ଭୟରେ ରାଜଧାନୀ କିବରୁ ପଳାୟନ କଲେ ୟୁକ୍ରେନ ରାଷ୍ଟ୍ରପତି: ଦାବି କଲେ ଋଷ ସଂସଦର ସ୍ପିକର

ଋଷ ୟୁକ୍ରେନ ଉପରେ ଜାରି ରଖିଛି ଲଢେ଼ଇ । ଆଜିକୁ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଏହି ଆକ୍ରମଣରେ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି ୟୁକ୍ରେନ । ଋଷ ଯବାନ ମାନେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅଧିନକୁ ନେବାରେ ଲାଗିଛନ୍ତି । ସେପଟେ ଏବେ ରାଜଧାନୀ କିବ ଆଡକୁ ଅଗ୍ରସର ହେଉଛି ଋଷ ସେନା । ଏହାରି ମଧ୍ୟରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କିବ ଛାଡି ଅନ୍ୟତ୍ର ପଳାୟନ କରିଥିବା ଦାବି କରିଛି ଋଷ ।

ଋଷର ଡୁମା ଷ୍ଟେଟର ସ୍ପିକର ଭାୟାସ୍ଲାଭ ଭୋଲୋଡିନ କହିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭୟରେ ରାଜଧାନୀ କିବ ଛାଡି ବର୍ତ୍ତମାନ ଲଭିଭରେ ଆତ୍ମଗୋପନ କରିଛନ୍ତି । ଭୋଲେଡିନ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି, ଜେଲେନସ୍କି ଗତକାଲି ୟୁକ୍ରେନ ରାଜଧାନୀରେ ନଥିଲେ। ସେ ତାଙ୍କ ସହଯୋଗୀମାନଙ୍କ ସହ ଲଭିଭ ସହରକୁ ପଳାୟନ କରିଛନ୍ତି ।ତେବେ ଏନେଇ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନଥିଲାବେଳେ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଜେଲେନସ୍କି ଦେଶ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ।

Related Posts