ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଜାମ୍ମୁ କାଶ୍ମୀର କଂଗ୍ରେସକୁ ବଡ଼ ଝଟକା । ତେବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ପୁତୁରା ମୁବଶର ଆଜାଦ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେପଟେ ଯୁବ କଂଗ୍ରେସ ନେତାଙ୍କୁ ବିଜେପି ମୁଖ୍ୟାଳୟରେ ରାଜ୍ୟ ସଭାପତି ରବିନ୍ଦ୍ର ରାଇନା, ପୂର୍ବତନ ବିଧାୟକ ଦଲିପ ପ୍ୟାରୀହର ଏବଂ ଏସଟି ମୋର୍ଚ୍ଚା ସଭାପତି ହାରୁନ ଚୌଧୁରୀ ସ୍ୱାଗତ କରିଛନ୍ତି । ଅନ୍ୟପଟେ ମୁବଶରଙ୍କୁ ଦଳ ଦଳରେ ସ୍ୱାଗତ କରି ରବିନ୍ଦର ରାଇନା ଅଭିଯୋଗ କରିଛନ୍ତି ଯେ କଂଗ୍ରେସ, ଏନ୍ସି ଏବଂ ପିଡିପି ପରି ଦଳ କ୍ଷମତାର ବିଳାସପୂର୍ଣ୍ଣ ଉପଭୋଗ କରିବା ବ୍ୟତୀତ ଆଉ କିଛି କରିନାହାଁନ୍ତି।
ସେ କହିଥିଲେ ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ହିଁ ଜମ୍ମୁ-କଶ୍ମୀରରେ ମୌଳିକ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି ଯାହା ଏଠାରେ ରହୁଥିବା ପ୍ରତ୍ୟେକ ସମ୍ପ୍ରଦାୟକୁ ଅଧିକାର ପ୍ରଦାନ କରୁଛି। ଏହି ଅବସରରେ ମୁବଶର ଆଜାଦ କହିଛନ୍ତି ଯେ ଜମ୍ମୁ- କଶ୍ମୀର ଏବଂ କେନ୍ଦ୍ରରେ ବର୍ତ୍ତମାନର କଂଗ୍ରେସ ନେତୃତ୍ୱ ଦ୍ୱାରା ତାଙ୍କ ଦାଦା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଅସମ୍ମାନକୁ ନେଇ ସେ ଗଭୀର ଆଘାତ ପାଇଛନ୍ତି। କଂଗ୍ରେସ ଦଳ ମଧ୍ୟରେ ଘୋର ଅନ୍ତର୍ଦ୍ୱନ୍ଦ୍ୱ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ଜନତାଙ୍କ ବିଶ୍ୱାସ ହାସଲ କରିଛନ୍ତି। ତେଣୁ, ଆମେ ସମାଜ ଏବଂ ରାଷ୍ଟ୍ରର ସ୍ୱାର୍ଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସହ ଠିଆ ହେବାକୁ ନିଷ୍ପତ୍ତି ନେଇଛୁ।





