ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଋଷ ଉପରେ ଭାରି ପଡ଼ିଛି। ଅନେକ ଦେଶ ଋଷ ବିରୋଧରେ ଯାଇ ଋଷ କୁ ରୋକିବା ପାଇଁ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ସେପଟେ ଏହି ପ୍ରତିବନ୍ଧକକୁ ନେଇ ଚିନ୍ତିତ ଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ବିରୋଧୀଙ୍କୁ ଦୃଢ଼ ଜବାବ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ରୁଷ ଏବେ ୩୬ ଦେଶ ପାଇଁ ତା’ର ବିମାନ ସେବାକୁ ବନ୍ଦ କରିଦେଇଛି। ଏହି ଦେଶ ଗୁଡ଼ିକ ମଧ୍ୟରେ ବ୍ରିଟେନ୍ ଓ ଜର୍ମାନୀ ଭଳି ବଡ଼ ଦେଶ ଥିବା ସୂଚନା ମିଳିଛି।

ରିପୋର୍ଟ ମୁତାବକ, ରୁଷ୍ ରାଷ୍ଟ୍ରପତି ପୁଟିନ୍ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି, ଯେଉଁଥିରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନରେ ଆୟୋଜିତ ହୋଇଛି। ଏହି ବୈଠକରେ ହିଁ ପୁଟିନ୍ ବିମାନ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ଏମିତି ସମୟରେ ଆସିଛି ଯେତେବେଳେ ଫ୍ରାନ୍ସ ରୁଷର ସମସ୍ତ ଆକାଉଣ୍ଟକୁ ଅଚଳ କରିଦେଇଛି। ଅନ୍ୟପଟେ ଆମେରିକାର ରାଜକୋଷ ମଧ୍ୟ ରୁଷର ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ରାଜ୍ୟ ନିବେଶ ପାଣ୍ଠି ଉପରେ ନୂଆ କଟକଣା ଲଗାଇଛି। ସୂଚନା ମୁତାବକ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ୍, ୟୁରୋପିଆନ୍ ସଂଘ ଓ ଅନ୍ୟାନ୍ୟ ଦେଶ ଗୁଡ଼ିକ ଆମେରିକା ସହ ମିଶି ରୁଷର ସେଣ୍ଟ୍ରାଲ୍ ବ୍ୟାଙ୍କକୁ ଟାର୍ଗେଟ୍ କରୁଛନ୍ତି। ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଏହି ଦେଶଗୁଡ଼ିକ ଏହି ପଦକ୍ଷେପ ଉଠାଇଛନ୍ତି।