ୟୁକ୍ରେନରେ ଜଳୁଛି ନିଆଁ । ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଘନଘନ ବୋମା ଓ ମିସାଇଲ ମାଡ଼ କରିଚାଲିଛି । ଫଳରେ ସମଗ୍ର ୟୁକ୍ରେନ ସହରରେ ନିଆଁ ଜଳୁଛି । ତଥାପି ନିଜ ମନ ବଳ ଆଉ ଦେଶ ମାଟିର ପ୍ରେମଆଗରେ ବନ୍ଧା ପଡିଛନ୍ତି ୟୁକ୍ରେନ ସେନା । ଏଯାଏ ପଛ ଘୁଞ୍ଚା ଦେଇନାହିଁ। ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଖେରସନ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଏବେ ସହରରେ ରୁଷ ସୈନ୍ୟ ଓ ଟ୍ୟାଙ୍କଗୁଡ଼ିକ ଚକର କାଟୁଛନ୍ତି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଇଗୋର କୋନାଶେନକୋଭ କହିଛନ୍ତି, “ରୁଷିଆ ଆର୍ମଡ ଫୋର୍ସ ବେଶ ସାହାସିକତାର ସହ ଖେରସନର ଆଞ୍ଚଳିକ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛି। ଏବେ ପୂରା ସହରରେ ରୁଷ ସୈନ୍ୟ ରହିଛନ୍ତି। ୟୁକ୍ରେନର ସୈନ୍ୟମାନେ ଆତ୍ମସମର୍ପଣ କରି ନିଅନ୍ତୁ।”

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏବେ ବି ଖେରସନର କିଛି ସ୍ଥାନରେ ରୁଷ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଖେରସନର କିଛି ଅଞ୍ଚଳରେ ରୁଷ ଆକାଶ ମାର୍ଗରୁ ବୋମା ମାଡ଼ ମଧ୍ୟ କରୁଛି। ଖେରସନ ବ୍ୟତୀତ ଖାରକିଭ ଓ କିଭ୍‌ରେ ମଧ୍ୟ ରୁଷର ଦମନଲୀଳା ଜାରି ରହିଛି।

ରୁଷ ସେନା ଖାରକିଭ୍‌ର ମିଲିଟାରୀ ଏକାଡେମୀ ଉପରେ ରକେଟ୍‌ ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।